ବାଲେଶ୍ଵର: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ବାନ୍ଧି ମାଡ଼ । ଏପରି ଘଟଣା ଦେଖିବାକୁ ମିଳିଛି ଭୋଗରାଇ ଥାନା ସାନ ଗାଁରେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ହାଡ଼ିବନ୍ଧୁଙ୍କ ବଡ଼ ଝିଅ ସବିତାଙ୍କୁ ସେହି ଗାଁର ଜଗବନ୍ଧୁ ଜେନାଙ୍କ ସହ 20 ବର୍ଷ ତଳେ ବିବାହ ହୋଇଥିଲା। ବିବାହ ପର ଠାରୁ ଜ୍ବାଇଁ ଜଗବନ୍ଧୁ ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ସବିତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ହୋଇ ଆସୁଥିଲା।
ଏ ବାବଦରେ ସବିତା ତାଙ୍କର ଦୁଇଭାଇ ଭଗବାନ ଓ ମିଥୁନଙ୍କୁ ଜଣାଇଥିଲେ। ଜ୍ବାଇଁଙ୍କୁ ଦୁଇଭାଇ ମିଶି ବୁଝାସୁଝା କରିଥିଲେ ମଧ୍ୟ ଜ୍ବାଇଁ ଜଗବନ୍ଧୁ କିଛି ବୁଝିବା ପାଇଁ ନାରାଜ ହେଉଥିଲେ । ତେବେ ଶୁକ୍ରବାର ଜଗବନ୍ଧୁ ସବିତାଙ୍କୁ ମାଡ଼ ମାରିବା ପରେ ସବିତାଙ୍କ ଦୁଇଭାଇ ତାଙ୍କୁ ଗଛରେ ବାନ୍ଧି ବହେ ଛେଚିଥିବା ଜଣାପଡିଛି । ପରେ ଜଗବନ୍ଧୁଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ