ବାଲେଶ୍ବର: ଲକଡାଉନ ନିୟମରେ ପରିବର୍ତ୍ତନ ନେଇ ସୋସିଆଲ ମିଡିଆରେ ଘୁରିବୁଲୁଛି ଅପପ୍ରଚାର । ବାଲେଶ୍ବର ଜିଲ୍ଲାରେ ଲକଡାଉନ ନିୟମରେ ପରିବର୍ତ୍ତନ ନେଇ ଦୁଇଦିନ ଧରି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ଖଣ୍ଡନ କରିବା ସହ ଏହାକୁ ଅପପ୍ରଚାର ଓ ଗୁଜବ ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ ।
ବାଲେଶ୍ବରରେ ସକାଳ 6 ଟାରୁ ଦିନ 11 ଟା ଯାଏଁ ଦୋକାନ ଖୋଲିବା ସହ ଅପରାହ୍ନରେ ଦୋକାନ ବନ୍ଦ ରହିବ ନେଇ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପରେ ଗୁଜବ ଭାଇରାଲ ହେଉଛି । ସେହିପରି ଅନ୍ୟ କିଛି ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି ଯେ, ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ବର ପୌରପାଳିକା ଅଞ୍ଚଳକୁ ସୋମବାର ଅପରାହ୍ନ ୫ଟାରୁ ଆସନ୍ତା ଶୁକ୍ରବାର ଅପରାହ୍ନ ୫ଟା ଯାଏଁ ସଟଡାଉନ ଘୋଷଣା କରାଯାଇଛି ।
ଏହି ସମୟରେ ସମସ୍ତ ସପିଂ ମଲ, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରହିବ । ଏହିଭଳି ଗୁଜବ ଓ ଅପପ୍ରଚାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇଛି ଏବଂ ଏଥିରେ କୌଣସି ସତ୍ୟତା ନଥିବା କୁହାଯାଇଛି ।
କେବଳ ଜଳେଶ୍ବର ପୌରାଞ୍ଚଳରେ ଆଜି(ସୋମବାର) ସଂନ୍ଧ୍ୟା ୫ଟା ଠାରୁ 17 ତାରିଖ ଅର୍ଥାତ୍ ଶୁକ୍ରବାର ସକାଳ ୫ ଘଟିକା ପର୍ଯ୍ୟନ୍ତ ସଟଡାଉନ ଜାରି କରାଯାଇଛି । କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ ହୋଇଥିବା ଅଞ୍ଚଳକୁ ଛାଡି ଦେଲେ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ ପାଇଁ ପୂର୍ବରୁ ଥିବା ନିୟମରେ କୌଣସି ପରିବର୍ତନ ହୋଇନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଏଥିସହିତ ଗୁଜବ ଓ ଅପପ୍ରଚାରରେ ଲିପ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଗୁଜବ, ଅପପ୍ରଚାର ଓ ବିଭ୍ରାନ୍ତିମୂଳକ ଖବର ଉପରେ ଆଦୌ ବିଶ୍ବାସ ନକରିବାକୁ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ