ବାଲେଶ୍ବର: ବଚସାରୁ ପ୍ରେମିକାକୁ ଏସିଡ ମାଡ ଘଟଣା । 6 ଦିନ ଧରି ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଲେ ବାଲେଶ୍ବରର ଏସିଡ ପୀଡିତା । କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବତୀ ହେଉଛନ୍ତି ବନିତା ସିଂ । ବଚସାକୁ ନେଇ ଗତ 20 ତାରିଖରେ ସଦର ଥାନା ଅଧିନ ଭୀମପୁର ଅଞ୍ଚଳରେ ତାଙ୍କ ପ୍ରେମିକ ବନିତାଙ୍କ ସହ ତାଙ୍କର ବଡ଼ ଭଉଣୀ ଓ ଦୁଇ ପୁଅ ଝିଅଙ୍କ ଉପରକୁ ଏସିଡ ଫିଙ୍ଗିଥିଲେ । ଏସିଡ ଫିଙ୍ଗିଥିବା ଯୁବକ ହେଉଛନ୍ତି ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ଚନ୍ଦନ ରଣା ।
ଏହି ଘଟଣାରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଅଟକ ରଖିଛି । ଏହି ଘଟଣା ଭିଆଇବା ପାଇଁ ସମ୍ପୃକ୍ତ ମହିଳା ଜଣଙ୍କ ଚନ୍ଦନ ରଣାଙ୍କୁ ଉସକାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ମହାରଣା ବର୍ତ୍ତମାନ ଫେରାର ଥିବାବେଳେ ତାର ଦୁଇଜଣ ସହଯୋଗୀ ମଧ୍ୟ ଫେରାର ରହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଚନ୍ଦନ ମହାରଣା ପୂର୍ବରୁ ବିବାହିତ ଥିବାବେଳେ ସେ ଭୀମପୁରା ଅଞ୍ଚଳର ଯୁବତୀ ବନିତା ସିଂଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ପ୍ରେମ ସମ୍ପର୍କ ବେଶ ନିବିଡ଼ ହେବାପରେ ଉଭୟ ମନ୍ଦିରରେ ବିବାହ କରିଥିଲେ । ମାତ୍ର ଧୀରେ ଧୀରେ ସମ୍ପର୍କରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥିଲା । ବନିତା ଚନ୍ଦନ ପୂର୍ବରୁ ବିବାହିତ ଥିବା ଜାଣିବା ପରେ ସବୁବେଳେ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା । ଏନେଇ ଥାନାରେ ଉଭୟଙ୍କ ମଧ୍ୟରେ ବୁଝାମଣା ମଧ୍ୟ ହୋଇଥିଲା । ଚନ୍ଦନ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ବଚସା ଲାଗି ରହୁଥିଲା । ଯାହା ପର ମୁହୁର୍ତ୍ତରେ ତୀବ୍ର ରୂପ ଧାରଣ କରିଥିଲା ।
ଗତ 20 ତାରିଖ ଦିନ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ପୀଡିତାଙ୍କ ପରିବାର ସହ ବଚସା ମଧ୍ୟ ହୋଇଥିଲା । ଏଥିରେ ଅଭିଯୁକ୍ତ ଚନ୍ଦର ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣିଥିବା ଏସିଡକୁ ଯୁବତୀଙ୍କ ଉପରକୁ ଫିଙ୍ଗିଥିଲା । ଏଥିରେ ବନିତା, ତାଙ୍କ ବଡ଼ ଭଉଣୀ କୁନି ଏବଂ ତାଙ୍କର ପୁଅ ଓ ଝିଅ ଗୁରୁତର ହୋଇଥିଲେ । ଏହାପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଵାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ନ ୱାର୍ଡରେ ଭର୍ତ୍ତି କରାଯାଇଥିଲା ।
ଚିକିତ୍ସା ପରେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି(ସୋମବାର) ଯୁବତୀଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷରେ ଏସିଡ ମାଡ଼ କରିବା ପରେ ଚନ୍ଦନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସହଦେବଖୁଣ୍ଟା ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ 2 ଜଣଙ୍କୁ ଅଟକ ରଖିଛି। । ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇନାହିଁ ।
ଇଟିଭି ଭାରତ, ବାଲେଶ୍ବର