ବାଲେଶ୍ବର: ଆଜିର ସମାଜରେ ଦିନକୁ ଦିନ ମଣିଷ ଭିତରୁ ମଣିଷ ପଣିଆ ଲୋପ ପାଇବାକୁ ବସିଲାଣି । ସାମାନ୍ୟ କଥାକୁ ନେଇ ହତ୍ୟା ଓ ଆକ୍ରମଣ ଭଳି ଘଟଣା ସାମ୍ନାକୁ ଆସୁଛି । ମଣିଷର ପାଶବିକତା ପ୍ରବୃତ୍ତି ଦିୱକୁ ଦିନ ବଢିବାରେ ଲାଗିଛି । କେଉଁଠି ଲୋଭ ଓ ଆକ୍ରୋଶରୁ ହତ୍ୟାକାଣ୍ଡ ହେଉଛି ତ ପୁଣି କେଉଁଠି ପ୍ରେମ ପ୍ରତାରଣା ପାଇଁ ହତ୍ୟାକାଣ୍ଡ ଦୈନନ୍ଦିନ ଘଟଣା ପାଲଟିଲାଣି । ସେହିପରି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ରାଇବଣିଆ ଥାନା ଅଞ୍ଚଳରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ବାପା ଓ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ।
ସୂଚନା ଅନୁସାରେ, ସର୍ଦ୍ଦାରବନ୍ଧ ଅଞ୍ଚଳର ହାରା ବିନ୍ଧାଣି ଓ ତାଙ୍କ ପୁଅ କ୍ରିଷ୍ଣା ବିନ୍ଧାଣି ରଜ ପାଇଁ କବାଟଘାଟି ଅଞ୍ଚଳରେ ଥିବା ବନ୍ଧୁ ଘରକୁ ବୁଲିବାକୁ ଆସିଥିଲେ । ରଜରେ ବେଶ ମଉଜ କରିବା ପରେ ସମସ୍ତେ ଅନେକ ଖୁସି ଥିବା ବେଳେ ଘଟିଗଲା ଏମିତି ଏକ ଦୁଃଖଦ ଘଟଣା । ସନ୍ଧ୍ୟା ସମୟରେ କ୍ରୀଷ୍ଣା ଓ କବାଟଘାଟି ଅଞ୍ଚଳର ପ୍ରଫୁଲ୍ଲ ବିନ୍ଧାଣିଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ କଥା କଟାକଟି ହୋଇଥିଲା । ଏହାକୁ ନେଇ ପ୍ରଫୁଲ୍ଲ ରାଗରେ ବିଳମ୍ବିତ ରାତିର ସୁଯୋଗ ନେଇ ପ୍ରଫୁଲ୍ଲ ହାରା ଓ କ୍ରିଷ୍ଣାଙ୍କୁ ଗୋଡ଼ାଇ ଗୋଡ଼ାଇ କଟୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ପ୍ରଫୁଲ୍ଲର ଏମିତି କାର୍ଯ୍ୟକୁ ନେଇ ଉଭୟଙ୍କୁ ଛଡ଼ାଇବାକୁ ଚେଷ୍ଟା କରୁଥିବା ହାଡୁ ସିଂ ନାମକ ଯୁବକ କଟୁରି ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପ୍ରଫୁଲ୍ଲର ଆକ୍ରମଣରେ ଉଭୟ ବାପା ଓ ପୁଅର ମୃତ୍ୟ ଘଟିଥିବା ପୋଲିସ ସୂଚନା ଦେଇଛି । ଏମିତି ବିଭତ୍ସ ହତ୍ୟା କେଉଁ କାରଣରୁ ହେଲା ତାହା ତଦନ୍ତ କରୁଛି ରାଇବଣିଆ ପୋଲିସ । ପୂର୍ବ ଶତ୍ରୁତା କିମ୍ବା କୌଣସି ବ୍ୟକ୍ତିଗତ ମାମଲାକୁ ନେଇ ଏମିତି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ହିଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ମଣିଷ ଟିକେଟିକେ କଥାରେ ଏମିତି ଉତ୍ୟକ୍ତ ହୋଇ ଆଉ ଜଣେ ମଣିଷକୁ ଆକ୍ରମଣ କରିବା ଘଟଣା ଏବେ ସବୁଆଡେ ଦେଖିବାକୁ ମିଳୁଛି । ଏମିତି ଅପରାଧ ରୋକିବା ଦିଗରେ ପୋଲିସ ପ୍ରଶାସନ କଠୋର ହେବାର ଆଵଶ୍ୟକତା ରହିଛି । ଏମିତିକି ଏବେ ପୋଲିସ ପ୍ରତି ମଧ୍ୟ ଅପରାଧିମାନେ ଭୟ କରୁ ନଥିବା ଜଣାପଡିଛି । ଏଥିପାଇଁ ପୋଲିସ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି ।
ଇଟିଭି ଭାରତ, ବାଲେଶ୍ବର