ବାଲେଶ୍ବର: ଜିଲ୍ଲାର ବିଭିନ୍ନ ସ୍କୁଲ ଏବେ 5T ଜରିଆରେ ରୂପାନ୍ତରଣ ହେଉଛି । ଅନେକ ସ୍କୁଲ 5T ଅନ୍ତର୍ଭୁକ୍ତ ହୋଇ କାମ ସରିବା ପରେ ପିଲାମାନେ ସ୍ମାର୍ଟ କ୍ଳାସ ରୁମ୍ ସହ ଅତ୍ୟାଧୁନିକ ସୁବିଧା ପାଉଛନ୍ତି । ବାଲେଶ୍ବର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୪ଟି ସ୍କୁଲ ରୂପାନ୍ତରିତ କରାଯାଇଛି । ଏବେ ଅଧିକରୁ ଅଧିକ ସ୍କୁଲ ରୂପାନ୍ତରଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହାରି ଭିତରେ ଶୁକ୍ରବାର ସଦର ବ୍ଲକ ଦହପଡା ଠାରେ ଥିବା ଚିନ୍ତାମଣି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ କରାଯାଇଛି ।
ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା, ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଛନ୍ତି । ସର୍ବ ପୁରାତନ ଏହି ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥା ଆଡକୁ ଗତି କରୁଥିବାବେଳେ, ଏହାର ରୂପାନ୍ତର ଆବଶ୍ୟକତା ଥିଲା । ପ୍ରଥମ ପର୍ଯ୍ୟାୟରେ ରେମୁଣା ନିର୍ବାଚନ ମଣ୍ଡଳୀର ଦୁଇଟି ସ୍କୁଲ ରୂପାନ୍ତରିତ ହୋଇଛି । ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାରେ ୧୮ଟି ମଧ୍ୟରେ ୧୪ଟି ସ୍କୁଲ ରେମୁଣାରେ ରୂପାନ୍ତର ହେବ । ସେହିପରି ତୃତୀୟ ପର୍ଯ୍ୟାୟରେ ୧୮୫ ମଧ୍ୟରୁ ୩୧ଟି ସ୍କୁଲ ରେମୁଣା ନିର୍ବାଚନ ମଣ୍ଡଳୀରେ ହେବାକୁ ଲକ୍ଷ୍ୟ ରଖାଯାଇଛି ।
ଏହାମଧ୍ୟ ପଢନ୍ତୁ: କେନ୍ଦ୍ରାପଡାରେ ରାଜ୍ୟର ଦ୍ଵିତୀୟ ବ୍ୟୟବହୁଳ ସଂସ୍କୃତି ଭବନ ଲୋକାର୍ପିତ
କହିବାକୁ ଗଲେ ରେମୁଣା ନିର୍ବାଚନ ମଣ୍ଡଳୀର ସମୁଦାୟ ୨୦ଟି ସ୍କୁଲ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇସାରିଛି । ବାକିଥିବା ୩୧ଟି ସ୍କୁଲ ଆଗାମୀ ୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବାଲେଶ୍ବର