ବାଲେଶ୍ବର: ଜିଲ୍ଲାର ଚାନ୍ଦିପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ସନ୍ଧ୍ୟା ସମୟରେ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ଜଣେ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ପରିବାରର ୪ ଜଣ ଗୁରୁତର ହୋଇପଡ଼ିଛନ୍ତି । ଗୁରୁତରମାନଙ୍କୁ ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଚାନ୍ଦିପୁର ମେରାଇନ ଥାନା ଅଧୀନ ମିର୍ଜାପୁର ଅଞ୍ଚଳରେ ମଙ୍ଗଳାବର ଏପରି ଦୁଃଖଦ ଘଟଣା ଘଟିଛି । ଆହତମାନଙ୍କୁ ପ୍ରଥମେ ଆଶୁ ଚିକିତ୍ସା କରିବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
ଏହା ବି ପଢନ୍ତୁ- ପୂରଣ ହେଲାନି ପ୍ରତିଶ୍ରୁତି, ୨୫ରେ ରାଜଧାନୀରେ ଗର୍ଜିବେ ଆଉଟସୋର୍ସିଂ କର୍ମଚାରୀ
ମିଳିଥିବା ସୂଚନା ଅନୁସାରେ ଚାନ୍ଦିପୁର ମେରାଇନ ଥାନା ଅଧିନ ମିର୍ଜାପୁର ଅଞ୍ଚଳରେ ଏମିତି ଘଟଣା ଘଟିଛି। ବାଲେଶ୍ଵର ଚାନ୍ଦିପୁର ଅଞ୍ଚଳର ଶେଖ ଭୋଲୁ ଓରଫ ଲାଲଚାନ୍ଦ ମଲ୍ଲିକଙ୍କ ଝିଅ ଜ୍ବାଇଁ ଅରଡ଼ ବଜାର ଅଞ୍ଚଳରୁ ଚାନ୍ଦିପୁରର ମିର୍ଜାପୁରକୁ ବୁଲିବାକୁ ଆସିଥିଲେ। ଘରେ ରୋଷେଇ ଚାଲିଥିବା ବେଳେ ହଠାତ ଗ୍ୟାସ ଟାଙ୍କି ଫାଟି ଯାଇଥିଲା। ରୋଷେଇ କରୁଥିବା ବେଳେ ହଠାତ୍ ତାଙ୍କ ଘରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଥିଲା । ଆଖି ପିଛୁଳାକେ ଏହି ନିଆଁ ଘର ସାରା ବ୍ୟାପି ଯାଇଥିଲା । ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏହା ସହ ଭୋଲୁଙ୍କ ବାଇକ, ତାଙ୍କ ମାଇକ୍ ସେଟ୍ ବି ଜଳିଯାଇଥିଲା।
ନିଆଁରେ ଭୋଲୁଙ୍କ ସମେତ ତାଙ୍କ ସ୍ତ୍ରୀ ନାଜିମାନ ବିବି(୩୦), ସାଢ଼େ ୪ବର୍ଷର ଝିଅ ଆରକୁ ଖାତୁନ, ୪୦ ଦିନର ଶିଶୁ କନ୍ୟାଙ୍କ ଦେହରେ ନିଆଁ ଲାଗିଥିଲା । ଏହି ନିଆଁରେ ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା ଏବଂ ନିଆଁରେ ସମ୍ପୂର୍ଣ୍ଣ ଦଗ୍ଧ ହୋଇଯାଇଛି। ଏହାସହ ପରିବାରର ଅନ୍ୟ ୪ ଜଣ ଗୁରୁତର ହୋଇ ପଡ଼ିଥିଲେ । ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିବାରେ ବିଳମ୍ବ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ସହାୟତାରେ କିଛି ଆହତ ଓ ୧୦୮ ଆମ୍ବୁଲାନ୍ସରେ କିଛି ଆହତ ବାଲେଶ୍ଵର ମେଡିକାଲ ଆସିଥିଲେ । ଅନ୍ୟପଟେ ଆଶୁ ଚିକିତ୍ସା କରାଇ ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ଇଟିଭି ଭାରତ, ବାଲେଶ୍ବର