ବାଲେଶ୍ବର: ସୋର ପୋଲିସର ବଡ ସଫଳତା । ଏକ ବଡ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କଲା ସୋର ପୋଲିସ । ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନାୟିକାବନ୍ଧ ଛକରେ କିଛି ଯୁବକ ଡାକୟତି ଯୋଜନା କରୁଥିବା ବେଳେ 3 ଜଣ ଗିରଫ ହୋଇଛନ୍ତି । ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି ।
ସୂଚନା ଅନୁଯାୟୀ, ସୋର ଥାନା ଅନ୍ତର୍ଗତ ନାୟିକବନ୍ଧ ଛକ ନିକଟରେ କିଛି ଯୁବକ ଏକ ଡକାୟତି ଯୋଜନା କରିଥିଲେ । ଏ ସଂପର୍କରେ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଖବର ମୁତାବକ ପୋଲିସ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଘଟଣାସ୍ଥଳରୁ ଦୁଇ ଜଣ ଅଭିଯୁକ୍ତ ଖସି ପଳାଇ ଯାଇଥିବା ବେଳେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ସେମାନଙ୍କ ନିକଟରୁ ନଗଦ 4 ହଜାର 5ଶହ ଟଙ୍କା, ରୂପା ପାଉଁଜି, ରୂପା ସିନ୍ଦୁର ଫରୁଆ, ଦୁଇଟି ବାଇକ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ତେବେ ଗିରଫ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲଣ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ