ବାଲେଶ୍ବର: ସ୍ବତନ୍ତ୍ର ଟ୍ରେନ ଯୋଗେ ସୁରତରୁ 1100 ପ୍ରବାସୀ ଓଡ଼ିଆ ଓଡିଶା ଫେରୁଛନ୍ତି । ଏହି ଟ୍ରେନଟି 13 ତାରିଖ ସକାଳ 5ଟାରେ ବାଲେଶ୍ଵର ଷ୍ଟେସନରେ ପହଞ୍ଚିବ । ଏନେଇ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟେସନ ସମେତ ଆଖପାଖ 5ଶହ ମିଟର ଯାଏ 24 ଘଣ୍ଟିଆ କର୍ଫ୍ୟୁ ଜାରି କରିଛି । ଏହି କର୍ଫ୍ୟୁ 12 ତାରିଖ ରାତି 12ଟାରୁ 13 ତାରିଖ ରାତି 12ଟା ଯାଏ ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।
ସେହିପରି ବାଲେଶ୍ବରର ଓଟି ରୋଡ଼ ଲକ୍ଷ୍ମୀ ନାରାୟଣ ମନ୍ଦିର ଛକରୁ ସହଦେବ ଖୁଣ୍ଟାର ସୁରଜ ହୋଟେଲ ଯାଏ ରାସ୍ତାରେ କର୍ଫ୍ୟୁ ଲାଗିବ । ଓଟି ରୋଡ଼ର ଉଭୟ ପାର୍ଶ୍ଵ ସମେତ ଷ୍ଟେସନ ଛକରୁ ଷ୍ଟେସନ ଯାଏ କର୍ଫ୍ୟୁ ଜାରି କରାଯାଇଛି । ସୁରତରୁ ଫେରୁଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ କୌଣସି କୋରୋନା ସନ୍ଦିଗ୍ଧ ରହିଥାଇପାରନ୍ତି । ତେବେ ଅନ୍ୟମାନଙ୍କୁ ସଂକ୍ରମିତ ହେବାର ସମ୍ଭାବନା ରହିଥିବାରୁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ