ବାଲେଶ୍ବର: ଜିଲ୍ଲାର ଦୌରାଜଜ୍ ଅଦାଲତରେ ହାଜର ହୋଇଛି ଈଶ୍ୱର ବେହେରା । ବହୁ ଚର୍ଚ୍ଚିତ ଆଇଏସଆଇ ଲିଙ୍କ ମାମଲାରେ ସେ 2014 ମସିହାରେ ଗିରଫ ହୋଇଥିଲା । ଗୁରୁବାର ଏହି ମାମଲାର ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ ପାଇବାକୁ ଥିବା ବେଳେ ଏହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଈଶ୍ୱରଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଦେଶଦ୍ରୋହ ଓ ଗୁପ୍ତତଥ୍ୟ ପ୍ରକାଶ ଭଳି ସଙ୍ଗୀନ ଦଫା ଲାଗିଛି ।
ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଦସ୍ତାବିଜ୍ ପ୍ରଦାନ କରିବା ଅଭିଯୋଗରେ ଈଶ୍ବର ବେହେରା ଗିରଫ ହୋଇଥିଲେ । ମୟୂରଭଞ୍ଜ କଣ୍ଟିପୁର ଅଞ୍ଚଳର ଇଶ୍ବର ଚାନ୍ଦିପୁର ଡିଆରଡିଓରେ ଜଣେ ଠିକା ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିଲେ । ସେଠାରେ କାର୍ଯ୍ୟରତ ବେଳେ ମିରଟର ଜଣେ ଲୋକଙ୍କ ସହ ଫୋନରେ ସେ କଥାବାର୍ତ୍ତା ହେଉଥିଲେ । ଫୋନ କଲ ଟ୍ରାକିଂ ହେବା ପରେ ଇଶ୍ୱର ଦେଶର ଗୁପ୍ତ ତଥ୍ୟ ଆଇଏସଆଇକୁ ପ୍ରଦାନ କରୁଥିବା ଅଭିଯୋଗ ହୋଇଥିଲା । ପରେ କ୍ରାଇମବ୍ରାଞ୍ଚର ନିର୍ଦ୍ଦେଶ ଅନୁସାରେ 2014 ଡିସେମ୍ବର 22 ତାରିଖରେ ଚାନ୍ଦିପୁରରୁ ତାଙ୍କୁ ପୋଲିସ ଗିରଫ କରିଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ