ବଲାଙ୍ଗୀର : ସ୍ବାମୀକୁ ହତ୍ୟା କରି ସ୍ତ୍ରୀ ଫେରାର୍ ! ସ୍ବାମୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ତ୍ରୀ । ବିଳମ୍ବିତ ରାତିରେ ସ୍ୱାମୀକୁ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଛି ସ୍ତ୍ରୀ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗାଁରେ । ସୂଚନାନୁସାରେ ସ୍ଵାମୀ ଦିବ୍ୟ ସିଂହ ଭୋଇ ଓ ତାଙ୍କ ସ୍ତ୍ରୀ ଯଶୋଦା ଭୋଇ ରାତିରେ ଖାଇ ସାରି ଶୋଇବାକୁ ଯାଇଥିଲେ ।
ବିଳମ୍ବିତ ରାତିରେ ସ୍ତ୍ରୀ ଯଶୋଦା ଭୋଇ କୌଣସି କାରଣରୁ ସ୍ବାମୀ ଶୋଇ ପଡିବା ପରେ ତାଙ୍କୁ ଏକ ଟାଙ୍ଗିଆରେ ଅତି ନୃଂଶସ ଭାବେ ଆକ୍ରମଣ କରିଥିଲା । ଏହି ସମୟରେ ଦିବ୍ୟଙ୍କ ପାଟି ଶୁଣି ପରିବାର ଲୋକେ ଉଠି ପଡ଼ିଥିଲେ । ପରେ ଦିବ୍ୟ ଶୋଇଥିବା ରୁମ ପାଖକୁ ଯାଇଥିଲେ । ହେଲେ ସେଠାରେ ଦିବ୍ୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । କିନ୍ତୁ ପାଖରେ ସ୍ତ୍ରୀ ଯୋଶଦା ନଥିବା ଦେଖିଥିଲେ । ତେବେ ଦିବ୍ୟ ଗୁରୁତର ଆହତ ଅବସ୍ଥାରେ ଘର ଲୋକଙ୍କୁ ଯୋଶଦା ମାରିଥିବା କହିଥିଲେ । ପରେ ପରିବାର ଲୋକେ ଦିବ୍ୟଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ଜେଲ କୋଠରୀରେ ନାଗ ଚାନ୍ଦ ଦମ୍ପତି, ଜବତ ଡାଏରୀକୁ ନେଇ ବଢିଲା ସସପେନ୍ସ ?
ଏହି ଘଟଣାରେ ଦିବ୍ୟଙ୍କ ବେକ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ହେବାରୁ ଦିବ୍ୟଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତି କରି ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ଘଟାଇଥିବା ଅଭିଯୁକ୍ତ ଯଶୋଦା ଭୋଇ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ପ୍ରକାଶ । ଅନ୍ୟପକ୍ଷରେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ଜବତ କରିଛି ପୋଲିସ । ତେବେ କାହିଁକି ସ୍ତ୍ରୀ ସ୍ୱାମୀକୁ ହତ୍ୟା କଲା ତାହାକୁ ନେଇ ତଦନ୍ତ ଚଳାଇଛି ପୋଲିସ । ଘରୋଇ କଳହ ନା ଅନ୍ୟକୌଣସି କାରଣ ସେନେଇ ପୋଲିସ୍ ତଦନ୍ତ କରୁଥିବାର କହିଛି ।
ଇଟିଭି ଭାରତ, ବଲାଙ୍ଗୀର