ବଲାଙ୍ଗୀର: ସରପଞ୍ଚଙ୍କ କାର ଧକ୍କାରେ ଦୁଇ ମହିଳା ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ବୁର୍ଲା ସ୍ତାନାନ୍ତରିତ କରାଯାଇଛି । ସରପଞ୍ଚଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ବଲାଙ୍ଗୀର କୂଳତାପଡା ଗ୍ରାମରୁ ଏଭଳି ଅଭିଯୋଗ ଆସିଛି ।
କୂଳତାପଡା ଗ୍ରାମର ସରପଞ୍ଚ ଦୁଷ୍ମନ୍ତ ସାହୁଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ଗାଁରେ ଦୁଇ ମହିଳା ପାଣି ଆଣିବାକୁ ଯାଉଥିବା ବେଳେ ସରପଞ୍ଚ ନୂଆ କାରରେ ସେମାନଙ୍କୁ ଧକ୍କା ଦେବା ସହ ଘୋଷାଡ଼ି ନେଇଥିଲା । ଯାହା ଦ୍ୱାରା ଦୁଇ ଜଣ ମହିଳା ତୁଲା ଗଡତିଆ ଓ ନୂଆଦେଇ ଗଡତିଆ ଗୁରୁତର ଆହତ ହୋଇଛନ୍ତି । ପରିବାର ଲୋକେ ଉଭୟଙ୍କୁ ବଲାଙ୍ଗୀର ଭିମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ନୂଆଦେଇ ଗଡତିଆଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ତାନାନ୍ତରିତ କରାଯାଇଛି।
ଆହତ ମହିଳାଙ୍କ ସମ୍ପର୍କୀୟ ଟଙ୍କଧର ଗଡତିଆ ଅଭିଯୋଗ କରିଛନ୍ତି, ''କୂଳତାପଡା ସରପଞ୍ଚ ଦୁଷ୍ମନ୍ତ ସାହୁ ଏକ ନୂଆ କାର କିଣିଛନ୍ତି । ବିନା ଡ୍ରାଇଭିଙ୍ଗ ଲାଇସେନ୍ସ କିମ୍ବା ଠିକ ଭାବେ ଗାଡି ଚଲାଇ ନ ଜାଣି ଗାଁରେ ଗାଡି ଚଲାଇବା ଶିଖୁଥିଲେ । ଏହି ସମୟରେ ସମ୍ପର୍କୀୟ ଖୁଡି ଦୁଇ ଜଣ ପାଣି ଆଣିବାକୁ ଯାଉଥିବା ବେଲେ ତାଙ୍କ ଉପରେ କାର ଚଢାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ସରପଞ୍ଚ ଓ ତାଙ୍କ ଭାଇ ଆସି ଆମେ ସବୁ ଚିକିତ୍ସା ଖର୍ଚ୍ଚ ବହନ କରିବୁ ତେଣୁ କୌଣସି ଅଭିଯୋଗ ନ କରିବାକୁ ସେମାନଙ୍କ ଉପରେ ଚାପ ପକାଇଥିଲେ।''
ଏହା ବି ପଢନ୍ତୁ...ସୀମା ଟପିଲା ବର୍ବରତା, 3 ଯୁବକଙ୍କୁ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ
ସେପଟେ ଦେଓଗାଁ ପୋଲିସକୁ ଘଟଣା ବାବଦରେ ଜଣାଇବା ପରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ଆହତଙ୍କ ସମ୍ପର୍କୀୟ । ଅନ୍ୟପଟେ ସମ୍ପୃକ୍ତ ସରପଞ୍ଚକୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଏହି ଘଟଣାକୁ ଅସ୍ବୀକାର କରିଥିବା ଜଣାପଡିଛି । ସେ ଗାଁରେ ନ ଥିବା ବେଳେ କଣ ହୋଇଛି ସେ ଜାଣି ନାହାନ୍ତି ବୋଲି କହିଛନ୍ତି । ପୂର୍ବରୁ ମଧ୍ୟ ଶ୍ରମିକଙ୍କୁ ଏହି ସରପଞ୍ଚ ମାଡ଼ ମାରିଥିବାର ସରପଞ୍ଚଙ୍କ ନାମରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଥାନାରେ ମାମଲା ଥିବା ବେଳେ ହାଇକୋର୍ଟରେ ବିଚାରଧୀନ ଅଛି । ତେବେ ସରପଞ୍ଚଙ୍କ କାର ଧକ୍କାରେ ଦୁଇ ମହିଳା ଆହତ ଘଟଣା ନେଇ ସରପଞ୍ଚଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ଇଟିଭି ଭାରତ, ବଲାଙ୍ଗୀର