ବଲାଙ୍ଗୀର: ବଳରାମ ସିଂହ ଯାଦବ ଜଣେ ବିଜେପିର ସକ୍ରିୟ କର୍ମୀ ଅଟନ୍ତି । ତାଙ୍କୁ ଦଳରେ କେନ୍ଦ୍ରୀୟ ନେତା ସାମିଲ କରିଛନ୍ତି । ରାଜା ଘର ଚାପରେ ଚାପି ହୋଇ ରାଜ୍ୟ ସଭାପତି ସତ କହିବାକୁ ସାହାସ କରୁନାହାଁନ୍ତି । ବଲାଙ୍ଗୀର ବିଜେପିରେ ଏକଛତ୍ରବାଦ ଚଳିବ ନାହିଁ । ଗତ 9 ତାରିଖରେ ଦଳୀୟ କାର୍ଯ୍ୟକ୍ରମରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଯୋରଦାର ହାତାହାତି ହେବା ପରେ ଘଟଣାର ଦୁଇ ଦିନ ପରେ ଆଜି ପ୍ରେସମିଟ କରି ଏଭଳି କହିଛନ୍ତି ରାଜ୍ୟ ବିଜେପିର କାର୍ଯ୍ୟକାରୀଣି ସଦସ୍ୟ ତଥା ସଦର ବିଜେପିର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ।
ଆଜି ପ୍ରେସମିଟ୍ କରି ଅନନ୍ତ କହିଛନ୍ତି, "ବଳରାମ ସିଂ ଯାଦବ ଜଣେ ବିଜେପିର ସକ୍ରିୟ କର୍ମୀ ଅଟନ୍ତି । ଏପରିକି ବିଜେପିର ସବୁ କାର୍ଯ୍ୟକ୍ରମ ବିଗତ କିଛି ବର୍ଷ ହେଲା ସେ କରି ଆସୁଛନ୍ତି । ବିଜେପିକୁ ସୁଦୃଢ଼ କରିବାକୁ ସେ ତାଙ୍କର ପ୍ରୟାସ ଜାରି ରଖିଛନ୍ତି । ବିଜେପିର ସଦସ୍ୟ ହେବା ପାଇଁ କେନ୍ଦ୍ରୀୟ ବିଜେପି ଏକ ମୋବାଇଲ ନମ୍ବର ଜାରି କରିଥିଲା । ଯେଉଁଥିରେ ବଳରାମ ସିଂହ ଯାଦବ ଅନ୍ୟ 18 କୋଟି ସଦସ୍ୟ ଭଳି ନିଜର ସଦସ୍ୟତା ନେଇଥିଲେ । କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ବଳରାମ ସିଂ ଯାଦବଙ୍କୁ ନେଇ ଅବଗତ ଥିବାବେଳେ ରାଜ୍ୟ ସଭାପତି ମନମୋହନ ସାମଲ ରାଜା ଘରର ଚାପରେ ଏଭଳି କହିଛନ୍ତି । ଏପରିକି ରାଜା ଘର ଲୋକଙ୍କ ବିରୋଧରେ କେହି ପ୍ରତିଦ୍ବନ୍ଦିତା ନକରନ୍ତୁ ବୋଲି ଏ ଘଟଣା ଘଟାଇଛନ୍ତି ।"
ଅଧିକ ପଢନ୍ତୁ- Two BJP factions Face off: ବଲାଙ୍ଗୀର ବିଜେପିରେ ଗୋଷ୍ଠୀ କନ୍ଦଳ, ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ !
ଅନନ୍ତ ଆହୁରି କହିଛନ୍ତି ଯେ, ବଲାଙ୍ଗୀର ଓ ସୋନପୁର ସଂସଦୀୟ କ୍ଷେତ୍ରରେ ଅନେକ ବିଧାନସଭା ଆସନରୁ ଲଢ଼ିବା ପାଇଁ ଆଶାୟୀ ଅଛନ୍ତି। କିନ୍ତୁ ପୂର୍ବରୁ ଜଣେ ବି ସାଂସଦ ପ୍ରାର୍ଥୀ ପାଇଁ ଆଶାୟୀ ନ ଥିଲେ। ଏବେ ବଳରାମ ସିଂହ ଯାଦବ ସେହି ସ୍ଥାନରେ ଅଛନ୍ତି । ସାଂସଦ ସଂଗୀତା କୁମାରୀ ସିଂହଦେଓ ତାଙ୍କର କେହି ପ୍ରତିଦ୍ବନ୍ଦି ଦଳରୁ ବାହାରନ୍ତୁ ବୋଲି ଚାହୁଁନାହାଁନ୍ତି । ଫଳରେ ବଳରାମ ସିଂ ଯାଦବଙ୍କ ପ୍ରତି ଏହି ଷଡ଼ଯନ୍ତ୍ର କରି ତାଙ୍କୁ ବିଜେପିର କୌଣସି ସଦସ୍ୟ ନୁହେଁ ବୋଲି କୁହାଯାଉଥିବା ସେ କହିଛନ୍ତି। ଏପରିକି ରାଜ୍ୟ ସଭାପତି ମଧ୍ୟ ତାଙ୍କ ଚାପରେ ଆସି ପଛରୁ କେହି ବନ୍ଧୁକ ଲଗାଇବା ଭଳି ବକ୍ତବ୍ୟ ଦେଉଥିବା ସେ କହିଛନ୍ତି । ସେ ଓ ବଳରାମ ସିଂହ ଯାଦବ ଘଟଣା ଦିନ ସକାଳ 11ଟାରୁ ରାଜ୍ୟ ସଭାପତିଙ୍କ ସ୍ବାଗତ ପାଇଁ ଉପସ୍ଥିତ ଥିଲେ । ହେଲେ ସେ ଆସିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଦେବାକୁ ସେମାନେ ଯିବା ସମୟରେ କିଛି ଅଣବିଜେପି ନେତା ତାଙ୍କୁ ବାରଣ କରି ତାଙ୍କ ସହ ମାରପିଟ୍ କରିଥିବାର ସେ ପାଲଟା ଅଭିଯୋଗ ଆଣିଛନ୍ତି । ଆଗକୁ ଏହି ଲଢ଼େଇ ଜାରି ରହିବ। ବିଜେପିକୁ ସେମାନେ ଏଠି ସୁଦୃଢ଼ କରିବା ସହ ଏଠି ବିଜେପିରେ ଚାଲିଥିବା ଏକଛତ୍ରବାଦ ବିରୋଧରେ ମଧ୍ୟ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି କ୍ଷମତାଶାଳୀ ରାଜ ପରିବାର ବିରୋଧରେ ବଲାଙ୍ଗୀର ବିଜେପିରେ କୌଣସି ଏକ ଗୋଷ୍ଠୀ ପ୍ରଥମଥର ପାଇଁ ସ୍ବର ଉତ୍ତୋଳନ କରିଛନ୍ତି । ଯାହାକୁ ନେଇ ଏବେ ବଲାଙ୍ଗୀର ରାଜନୀତି ସରଗରମ । ତେବେ ଦେଖିବାର କଥା ଏହି ଗୋଷ୍ଠୀ ରାଜ ପରିବାର ବିରୋଧରେ କେମିତି ଲଢ଼େଇ କରୁଛନ୍ତି । ଆଉ ବିଜେପିର ଏହି ଗୋଷ୍ଠୀ କନ୍ଦଳ ଆଗକୁ କେଉଁଠି ପହଞ୍ଚୁଛି ।
ଗତ ଅକ୍ଟୋବର 9 ତାରିଖରେ ବଲାଙ୍ଗୀର ଆରଟିଓ ଛକରେ ବିଜେପି ରାଜ୍ୟ ସଭାପତିଙ୍କୁ ସ୍ବାଗତ ବେଳେ ଜିଲ୍ଲା ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଲଢେଇ ଯୋରଦାର ହୋଇଥିଲା । ମାରପିଟ ସହ ଠେଲାପେଲା ହୋଇଥିଲା । ମାମଲା ଯାଇ ଥାନାରେ ପହଞ୍ଚିଥିଲା । ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ବିଜେପିର ଏହି ଗୋଷ୍ଠୀ ସଂଘର୍ଷକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ।
ଇଟିଭି ଭାରତ, ବଲାଙ୍ଗୀର