ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ବର୍କାନି ପଞ୍ଚାୟତର ମାକଡ ଚୂଆଁ ଗ୍ରାମର ଆଦିବାସୀ ଯୁବକ ନିଖୋଜ ଘଟଣାରେ ଏବେ ରାଜନୀତି ଜୋର୍ ଧରିବାରେ ଲାଗିଛି । ଏଥିରେ ସ୍ଥାନୀୟ ସରପଞ୍ଚ ତଥା ବିଜେଡି ଜିଲ୍ଲା ଯୁବ ସଭାପତିଙ୍କ ସଂପୃକ୍ତି ଥିବାର ଅଭିଯୋଗ ହୋଇଛି ।
ଏହି ଗ୍ରାମର ଯୁବକ ଶ୍ରୀକର ମିର୍ଦ୍ଧା ଗତ 4 ତାରିଖରେ ନିଖୋଜ ହୋଇ ଯାଇଥିଲେ । ଏବଂ ତାଙ୍କର ଅପହରଣ ହୋଇଥିବାର ଥାନାରେ ଅଭିଯୋଗ ହୋଇଥିଲା। ଯାହାର 24 ଘଣ୍ଟା ପରେ ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲରୁ ତାଙ୍କୁ ମୂର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ତେବେ ଏହି ଘଟଣାରେ ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଜିଲ୍ଲା ବିଜେଡି ଯୁବ ସଭାପତି ରାଜେନ୍ଦ୍ର ହୋତା ସଂପୃକ୍ତ ଥିବାର ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ବେଳେ ସଂପୃକ୍ତ ବିଜେଡି ନେତା ଙ୍କୁ ପୋଲିସ ଘଣ୍ଟା ଘୋଡାଉଥିବାର ଅଭିଯୋଗ କରିଛି । ଏବଂ ସଂପୃକ୍ତ ସରପଞ୍ଚଙ୍କ ପଦବୀ ତୁରନ୍ତ ରଦ୍ଦ କରାଯାଉ ଓ ତାଙ୍କୁ ବୋଲି ଦାବି କରିଛି କଂଗ୍ରେସ।
ସେପଟେ ଏହି ସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ସଂପୃକ୍ତ ବିଜେଡି ଜିଲ୍ଲା ଯୁବ ସଭାପତି ତଥା ବର୍କାନୀ ସରପଞ୍ଚ ରାଜେନ୍ଦ୍ର ହୋତା । ତେବେ ଆଦିବାସୀ ଯୁବକର ଗାଁର ଜଣେ ଯୁବକ ସହିତ ଝଗଡ଼ା ହୋଇଥିଲା ଓ ସେ ନିଜେ ଏହାର ସମାଧାନ ପାଇଁ ଯାଇଥିଲେ। ହେଲେ ମାମଲାର ସମାଧାନ ନହୋଇ ମାମଲା ଥାନାକୁ ଯାଇଥିବାର ସେ କହିଛନ୍ତି । ଏପରିକି ଗ୍ରାମବାସୀଙ୍କ ସହିତ ମିଶି ସେ ନିଜେ ତାକୁ ଉଦ୍ଧାର କରିଥିବାବେଳେ କଂଗ୍ରେସ ଏହି ମାମଲାକୁ ଅଯଥା ରାଜନୀତିକରଣ କରୁଥିବାର ସେ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ