ବଲାଙ୍ଗୀର: ସ୍ବଚ୍ଛ ଭାରତ ମିଶନ ଫେଲ(swachha bharat mission failed) ହୋଇଥିବାର ଗ୍ରାଉଣ୍ଡ ଜିରୋ ରିପୋର୍ଟ ପ୍ରସାରିତ ହେବା ପରେ ଆଜିଠୁ(ବୁଧବାର) ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ତଦନ୍ତ । ବିଭିନ୍ନ ସ୍ଥାନରେ ଚଢାଉ କରି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ଖାତା ଇତ୍ୟାଦି ଜବତ କରିଛି । ତେବେ ବଲାଙ୍ଗୀରରେ ବ୍ୟାପକ ପାଇଖାନା ଦୁର୍ନୀତିର ଗ୍ରାଉଣ୍ଡ ଜିରୋ ରିପୋର୍ଟ ପ୍ରକାଶିତ ହେବା ପରେ ତନାଘନା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଯେଉଁଥିରେ ଆଜି ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ଓ ବଲାଙ୍ଗୀର RWSS ମିଳିତ ଭାବରେ ଚଢାଉ ଆରମ୍ଭ କରିଛି ।
ଏପଟେ ଜଣେ କରିତକର୍ମା JE, ଅଫିସରେ କାମ ନକରି, ବଲାଙ୍ଗୀରର ଏକ ହୋଟେଲରେ ରହି କାମ କରି ଆସୁଥିବାବେଳେ ଆଜି(ବୁଧବାର) ବଲାଙ୍ଗୀର ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ଟିମ ହୋଟେଲ ରୁମରେ ଚଢାଉ କରିଛନ୍ତି ଏବଂ ସେଠାରୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର, ହିତାଧିକାରୀଙ୍କ ଫଟୋ ଥିବା ଦସ୍ତାବିଜ, ବ୍ୟାଙ୍କ ଖାତା ଇତ୍ୟାଦି ଜବତ କରିଛନ୍ତି । ସେହିପରି ଏହି ଦୁର୍ନୀତି ସଂକ୍ରାନ୍ତରେ ତଦନ୍ତ ଜାରି ରହିଥିବାର ଏମାନେ ସୂଚନା ଦେଇଛନ୍ତି ।
ବଲାଙ୍ଗୀର ଜିଲ୍ଲାରେ 2014ରୁ ଲୋକଙ୍କ ପାଇଁ ଯୋଗାଇ ଦିଆଯାଇଥିବା ପାଇଖାନା ଅତି ନିମ୍ନମାନର ହୋଇଥିବାବେଳେ ଗୋଟିଏ ବି ପାଇଖାନା ଲୋକଙ୍କ ବ୍ୟବହାରରେ ଆସୁ ନାହିଁ । ସେହିପରି ମୃତ ଲୋକଙ୍କ ନାଁରେ ପାଇଖାନା ବିଲ ଉଠି ଥିବାର ଅଭିଯୋଗ ହୋଇଥିଲା । ସମାନ ଭାବରେ ଅନେକ ସ୍ଥାନରେ ଜଣେ ଲୋକ ନାଁରେ ଏକାଧିକ ପାଇଖାନା ବିଲ ଉଠି ଥିବାର ଜଣାପଡିଥିଲା । ବିଶେଷକରି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକରେ ଏହି ଦୁର୍ନୀତି ଚରମରେ ପହଞ୍ଚିଥିବା ଅଭିଯୋଗ ପାରେ ଆଜି ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି । ଏଥିରେ ବ୍ଲକର JE ମନୋଜ ମାଝିଙ୍କ ସଂପୃକ୍ତି ଥିବା ସ୍ପଷ୍ଟ ହୋଇଥିବାବେଳେ ସେ ରହୁଥିବା ହୋଟେଲ ରୁମରେ ଚଢାଉ କରାଯାଇଛି । ସେହିପରି ଆଗକୁ ଗାଁକୁ ଯାଇ ଏହି ସବୁ କାମର ସବିଶେଷ ତଦନ୍ତ ହେବ ଓ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତଦନ୍ତକାରୀ ଦଳ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ