ବଲାଙ୍ଗୀର : ରାତ୍ରି ଭୋଜନରେ ଝିଟିପିଟି । ଏହି ଖାଦ୍ୟ ଖାଇ ବଲାଙ୍ଗୀର ସରକାରୀ ଆଇଟିଆଇ ହଷ୍ଟେଲର ୨୦ରୁ ଊର୍ଦ୍ଧ୍ବ ଛାତ୍ର ଅସୁସ୍ଥ ହୋଇଛନ୍ତି । ସୂଚନାନୁସାରେ ବଲାଙ୍ଗୀର ଲାର୍କିପାଲିଁ ଠାରେ ଥିବା ସରକାରୀ ଗନ୍ଧମାର୍ଦ୍ଧନ ଆଇଟିଆଇ କଲେଜରେ ଗତକାଲି (ସୋମବାର) ରାତିରେ ଛାତ୍ରଙ୍କୁ ଖାଇବାକୁ ଭାତ ଡାଲମା ଦିଆଯାଇଥିଲା । ଏହି ଖାଦ୍ୟକୁ ୧ଶହରୁ ଊର୍ଦ୍ଧ୍ବ ଛାତ୍ର ଖାଇବା ପରେ ଭାତରେ ଝିଟିପିଟି ଓ ଡାଲିରେ ପୋକ ପଡିଥିବାର ଜଣା ପଡିଥିଲା ।
ବିଳମ୍ବିତ ରାତିରେ ସବୁ ଛାତ୍ରଙ୍କ ପେଟ ବଥା ହେବା ସହ ବାନ୍ତି ହୋଇଥିଲା। ତେବେ କୋଡ଼ିଏରୁ ଊର୍ଦ୍ଧ୍ବ ଛାତ୍ର ଗୁରୁତର ହେବାରୁ ସେମାନଙ୍କୁ ଆଜି ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କର ଚିକିତ୍ସା ଚାଲିଥିବାବେଳେ ସେମାନେ ସାମାନ୍ୟ ସୁସ୍ଥ ଥିବାର ଜଣାପଡ଼ିଛି ।
ତେବେ ଏହି ହଷ୍ଟେଲରେ ୧୦୫ଜଣ ଛାତ୍ର ଥିବାବେଳେ ବାରମ୍ବାର ଏଠି ଛାତ୍ରଙ୍କୁ ଏହିଭଳି ନିମ୍ନମାନର ଖାଦ୍ୟ ଦିଆଯାଉଥିବାର ଅଭିଯୋଗ ହୋଇଛି। ସେପଟେ ଝିଟିପିଟି ଓ ପୋକ ପଡ଼ିବା ଘଟଣା ସାମ୍ନାକୁ ଆସିବାପରେ ହଷ୍ଟେଲର ରନ୍ଧା ଦାୟିତ୍ୱରେ ଥିବା ଦୁଇ ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ