ବଲାଙ୍ଗୀର: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଲୁଟପାଟ ଘଟଣା । କିଛି ଟଙ୍କା ପାଇଁ ମଣିଷପଣିଆ ହରାଇ ବସୁଛନ୍ତି ଲୋକେ । ବଲାଙ୍ଗୀର ଶାନ୍ତିପଡ଼ାରେ ଗୋଟିଏ ପରିବାରର ଦୁଇ ମହିଳା ଓ ଜଣେ ଶିଶୁକୁ ମରଣାନ୍ତକ ଆକ୍ରମଣ ସହ ଲୁଟ୍ କରିଛନ୍ତି ଲୁଟେରା । ଏହି ଘଟଣାରେ ଜଙ୍ଗଲରୁ ଅଭିଯୁକ୍ତକୁ ଗିରଫ କରିବା ସହ ତା ଠାରୁ ମାରଣାସ୍ତ୍ର, ନଗଦ ଟଙ୍କା ଓ ସୁନା ଗହଣା ଜବତ କରିଛି ପୋଲିସ୍ ।
ସୂଚନା ଅନୁଯାୟୀ, ଗତ ୩୧ ତାରିଖ ସନ୍ଧ୍ୟାରେ ବଲାଙ୍ଗୀରରେ ବ୍ୟବସାୟ କରୁଥିବା ସୁଶିଲ ମେହେରଙ୍କ ଘରେ ଏହି ଘଟଣା ଘଟିଥିଲା । ସୁଶିଲ ମେହେର ନିଜ ଦୋକାନରେ ଥିବା ବେଳେ ତାଙ୍କ ଘରେ ପଶିଥିଲା ଅଭିଯୁକ୍ତ । ଅଭିଯୁକ୍ତ ସେଠି ଉପସ୍ଥିତ ଥିବା ସୁଶିଲ ମେହେରଙ୍କ ପତ୍ନୀ ଆରାଧନା ମେହେର, ତାଙ୍କ ଶାଳୀ ମମତା ମେହେର ଓ ଦେଢ଼ ବର୍ଷର ଶିଶୁ ଶ୍ରୀୟା ମେହେରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଯେଉଁଥିରେ ତିନି ଜଣ ଗୁରୁତର ଆହତ ହୋଇଥିଲେ ।
ଅଧିକ ପଢ଼ନ୍ତୁ:ଉତ୍ତ୍ୟକ୍ତ ପୁଅର ଉନ୍ମତ କାଣ୍ଡ: ପରିବାର ୩ଜଣଙ୍କ ଉପରେ ଚଢ଼ାଇ ଦେଲା କାର, ଜଣେ ମୃତ
ସେମାନଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ଭୁବନେଶ୍ବର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ୍ ଏହି ଘଟଣାର ତଦନ୍ତ କରୁଥିବା ବେଳେ ବଲାଙ୍ଗୀର ଟିକ୍ରପଡ଼ା ଥାନା ବନ୍ଦପଡ଼ା ଗ୍ରାମ ନିକଟ ଜଙ୍ଗଲରେ ଅଭିଯୁକ୍ତ ଲୁଚିଥିବାର ଖବର ପାଇଥିଲା । ବଲାଙ୍ଗୀର ପୋଲିସ୍ ତଥା ଗ୍ରାମବାସୀ ତାକୁ ଜଙ୍ଗଲ ମଧ୍ୟରୁ ଧରିବାରେ ସଫଳ ହୋଇଥିଲେ ।
ତେବେ ଅଭିଯୁକ୍ତ ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ ଗମ୍ଭାରୀ ମାଲ୍ ଗ୍ରାମର ସ୍ଵାଧୀନ ସାହୁ ବୋଲି ପୋଲିସ ଏସଡିପିଓ ତୁଫାନ ବାଗ ସୂଚନା ଦେଇଛନ୍ତି । ସେ ଏମାନଙ୍କୁ ହତ୍ୟା କରି ଲୁଟ କରିବାର ଉଦ୍ଦେଶ୍ୟ ରଖି ଏହି କାଣ୍ଡ ଭିଆଇଥିଲା ବୋଲି ସେ କହିଛନ୍ତି । ତେବେ ଅଭିଯୁକ୍ତ ଠାରୁ ପୋଲିସ୍ ମାରଣାସ୍ତ୍ର, ଲୁଟ ହୋଇଥିବା 40 ହଜାର ଟଙ୍କା ଓ ସୁନା ଗହଣା ଜବତ କରିଥିବାର ଏସଡିପିଓ କହିଛନ୍ତି। ସେହିପରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ସେ କହିଛନ୍ତି । ତେବେ ଏହି ଆକ୍ରମଣ ପଛରେ କେବଳ ଲୁଟ ଉଦ୍ଦେଶ୍ୟ ଥିଲା ନା ଆଉ କିଛି ଅଛି ତାହା ଆହତ ପରିବାର ସଦସ୍ୟ ବଲାଙ୍ଗୀର ଫେରିଲେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର