ବଲାଙ୍ଗୀର: ପୁଣି ବଲାଙ୍ଗୀର ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ । ପୁଅ ପାଇଁ ବାପାକୁ ଥାର୍ଡ ଡିଗ୍ରୀ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି (Third degree torture to father for accused Son)। ଅଭିଯୋଗ ପରେ ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କ ବଦଳି ହୋଇଛି (Police officer transfered for 3rd degree torture) । ଏଭଳି ଘଟଣା ବଲାଙ୍ଗୀର ଦେଓଗାଁ ବ୍ଲକ ବନ୍ଧପଡ଼ା ଫାଣ୍ଡିରେ ଘଟିଥିବା ଜଣାପଡ଼ିଛି ।
ସିଂହାମୁଣ୍ଡା ଗ୍ରାମର ସୁରେଶ ସାହୁଙ୍କ ପୁଅ ଏକ ଭୋଜିକୁ ଯାଇଥିବା ବେଳେ କୌଣସି କାରଣରୁ ବନ୍ଧପଡ଼ା ପୋଲିସ ତାକୁ ଅଟକ ରଖିଥିଲା । ସେପଟେ ଏହି ଖବର ପାଇବା ପରେ ବାପା ସୁରେଶ ସାହୁ ସମ୍ପୃକ୍ତ ପୋଲିସ ଫାଣ୍ଡିକୁ ଯାଇଥିଲେ ଏବଂ ସେଠି ତାଙ୍କ ପୁଅକୁ କାହିଁକି ଅଟକ ରଖିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ସେପଟେ ପୋଲିସ ଫାଣ୍ଡି ଅଧିକାରୀ ସରୋଜ ରଥ ତାଙ୍କ ଉପରେ ରାଗି ଯାଇ ତାଙ୍କୁ ହାଜତ ଭିତରେ ଭର୍ତ୍ତି କରି ନିର୍ଦ୍ଧୁମ ମାଡ ମାରିଥିଲେ । ଯେଉଁଥିରେ ସୁରେଶ ସାହୁ ଗୁରୁତର ଆହତ ହେବା ପରେ ତାଙ୍କ ସମ୍ପର୍କୀୟ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲକୁ ଆଣି ଚିକିତ୍ସା କରାଇଛନ୍ତି ।
ଏହା ବି ପଢନ୍ତୁ- ପୋଲିସ ପଞ୍ଝାରେ ସ୍ବାମୀହନ୍ତା ସ୍ତ୍ରୀ
ସେପଟେ ପୋଲିସ ମାଡରେ ଗୁରୁତର ହୋଇଥିବା ସୁରେଶ ସାହୁଙ୍କ ଶରୀରେ ବେତ ମାଡର ଚିହ୍ନ ଥିବା ବେଳେ ମାଡ ଯୋଗୁଁ ତାଙ୍କର ବାମ ହାତରେ ଗଭୀର କ୍ଷତ ଲାଗିଛି । ତେବେ ଏହି ଘଟଣା ପରେ ପୀଡିତ ଜଣକ ବଲାଙ୍ଗୀର ଏସପିଙ୍କ ନିକଟରେ ଅଭିଯୋଗ କରିବା ପରେ ବଲାଙ୍ଗୀରର ଏସପି ନୀତିନ କୁଶଳ କର ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କୁ ବଲାଙ୍ଗୀର ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତରିତ କରିଛନ୍ତି । ଏହି ମାମଲାର ତଦନ୍ତ ଚାଲିଥିବାରୁ ସେ କ୍ୟାମେରା ସାମନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।
ତେବେ ଏ ନେଇ ଅଭିଯୋଗକାରୀ ସୁରେଶ ସାହୁ କହିଛନ୍ତି, " ପୁଅକୁ କାହିଁକି ଥାନାରେ ରଖିଛନ୍ତି ବୋଲି ପ୍ରଶ୍ନ କରିବାରୁ ପୋଲିସ ବାବୁ ଏପରି ମାଡ଼ ମାରିଛନ୍ତି । ଫାଣ୍ଡି ଅଧିକାରୀ ହାଜତରେ ମାଡ଼ ମାରିଥିବାରୁ ଉଠିବା ବସିବାରେ ଭୀଷଣ କଷ୍ଟ ହେଉଛି । ମୋ ବାମ ହାତରେ ଗଭୀର ଆଘାତ ଲାଗିଛି । କଣ ପାଇଁ ମାରୁଛନ୍ତି ବୋଲି ପଚାରିବାରୁ ସେ ଅଧିକ ମାଡ଼ ମାରିଥିଲେ । ଏ ନେଇ ବଲାଙ୍ଗୀର ଏସପିଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ଏସପି ଏ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ ।"
ଇଟିଭି ଭାରତ, ବଲାଙ୍ଗୀର