ବଲାଙ୍ଗୀର: ଦରମା ବୃଦ୍ଧି ଦାବି କରି ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଛନ୍ତି ପାଚିକା ସଙ୍ଘ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।
ଜିଲ୍ଲାର ସ୍କୁଲ ଗୁଡିକରେ ଏମଡିଏମ ରାନ୍ଧିବା ପାଇଁ ନିଯୁକ୍ତ ଥିବା ପାଚିକାମାନଙ୍କର ସଙ୍ଘ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଯେଉଁଥିରେ ଜିଲ୍ଲାର ଶତାଧିକ ପାଚିକା ଓ ପାଚିକା ସହାୟିକା କର୍ମୀ ମାନେ ସାମିଲ ହୋଇଥିଲେ । କୋରୋନା ଯୋଗୁଁ ଲକଡାଉନ ସମୟରୁ ଏହି ପାଚିକାମାନେ ତାଙ୍କ ପାଉଣା ପାଇ ନ ଥିବାର ଅଭିଯୋଗ କରିଥିବା ବେଳେ ତାହା ଶୀଘ୍ର ଏମାଙ୍କୁ ପ୍ରଦାନ କରାଯାଉ ବୋଲି ଏମାନେ ଦାବି କରିଛନ୍ତି।
ସେହିପରି ସେମାନଙ୍କୁ ପାରିଶ୍ରମିକ ଭାବରେ ମାତ୍ର 14 ଶହ ଟଙ୍କା ଦିଆ ଯାଉଥିବା ବେଲେ ତାହା ଏମାନଙ୍କ ପାଇଁ ନିଅଣ୍ଟ ହେଉଥିବା କହିଛନ୍ତି । ତାଙ୍କର ଏହି ଦରମା ବୃଦ୍ଧି କରାଯାଉ ବୋଲି ଏମାନେ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି । ସେପଟେ ଏମାନଙ୍କ ଦାବିକୁ ସରକାରକୁ ଜଣାଇ ଦିଆଯିବ ଓ ସରକାର ତା ଉପରେ ପଦକ୍ଷେପ ନେବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ