ବଲାଙ୍ଗୀର: ଘରୁ ସନ୍ଦେହଜନକ ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର। ଏଭଳି ଘଟଣା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ମହିଳା ଜଣକ ହେଲେ ସମ୍ବଲପୁରର ମଧୁ ବାଗ। ନବବଧୂର ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୋଲିସ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।
ଶୁକ୍ରବାର ରାତିରେ ଉକ୍ତ ମହିଳାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ସ୍ବାମୀ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ପରିବାର ଲୋକ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ପୁଅ ଘର ଲୋକ ରାୟପୁର ଶାନ୍ତି ନଗରରେ ରହୁଥିବା ବେଳେ କନ୍ୟାପକ୍ଷକୁ ମିଛ ଠିକଣା ମଧ୍ୟ ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୃତକ ମହିଳାର ପରିବାର ଲୋକେ।
ମୃତକ ମଧୁ ଏବଂ ତାର ସ୍ବାମୀ ବିରଞ୍ଚି ଭଦ୍ରାଙ୍କ ମଧ୍ୟ ରେ ୪ ମାସ ଆଗରୁ ପ୍ରେମ ସମ୍ପର୍କ ଥିଲା। ବିରଞ୍ଚି, ମଧୁକୁ ପ୍ରେମ ବିବାହ କରିବ ବୋଲି ରାୟପୁରରୁ ନେଇ ଫେରାର ହୋଇଥିଲା। ଘଟଣା ପରେ ମଧୁର ପରିବାର ଲୋକେ ତାଙ୍କ ଝିଅ ନିଖୋଜ ହୋଇଥିବା ଖବର ପୋଲିସରେ ଦେଇଥିଲେ। ପୂର୍ବରୁ ଅନେକ ଥର ମଧୁ ଏବଂ ବିରଞ୍ଚିଙ୍କ ମଧ୍ୟରେ ଝଗଡା ଲାଗି ରହୁଥିବା ପରିବାର ଲୋକ କହିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍,ଇଟିଭି ଭାରତ