ବଲାଙ୍ଗୀର: ଦାନା ପାଇଁ ଦାଦନ ଯିବା ବଲାଙ୍ଗୀର ଜିଲ୍ଲାରେ କିଛି ନୂଆ କଥା ନୁହେଁ । ପ୍ରତିବର୍ଷ ଜିଲ୍ଲାରୁ ଲକ୍ଷାଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହୋଇଥାନ୍ତି । ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଡେବେରିପାଲି ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି କିଛି ଦାଦନ ଦୁଃଖ ଘଟଣା । ବଇନା ଟଙ୍କା ଶୁଝି ନପାରି ଏବେ ଭାଟି ମାଲିକ ପାଖରେ ବନ୍ଧା ପଡ଼ିଛନ୍ତି ଦୁଇ ଯୁବକ ଓ ଯୁବତୀ । ଦେହ ଅସୁସ୍ଥ ପାଇଁ ସ୍ବାମୀସ୍ତ୍ରୀ ଘରକୁ ଆସିଥିବା ବେଳେ ମାଲିକ ପାଖରେ ବନ୍ଧା ପଡିଛନ୍ତି ଝିଅ ଓ ଭଣଜା । ତେଣୁ ସନ୍ତାନଙ୍କୁ ଫେରାଇଆଣିବାପରେ ପ୍ରଶାସନର ସହାୟତା ଲୋଡ଼ିଛନ୍ତି ପରିବାର ଲୋକେ ।
ଅଭିଯୋଗ ଅନୁସାରେ, କିଛି ମାସ ପୂର୍ବରୁ ଡେବେରିପାଲି ଗ୍ରାମର ଲାଲ ବାହାଦୁର ନାଏକ ୧ ଲକ୍ଷ ୨୦ ହଜାର ଟଙ୍କା ସରଦାରଠାରୁ ବଏନା ଆଣିଥିଲେ । ଇଟା ଗଢ଼ିବା ପାଇଁ ସ୍ଵାମୀ,ସ୍ତ୍ରୀ ସହ ଝିଅ ଓ ଭଣଜାକୁ ନେଇ ଆନ୍ଧ୍ରପ୍ରଦେଶ ବିଜୟନଗରର ମାଦିଗାଁ ଇଟାଭାଟିକୁ ଯାଇଥିଲେ । ହେଲେ କାମ କରୁଥିବା ସମୟରେ ଲାଲ ବାହାଦୁର ଅସୁସ୍ଥ ହୋଇପଡ଼ିଥିଲେ । ଭାଟି ମାଲିକ ଲାଲ ବାହାଦୁରଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା କରାଇଥିଲେ। ହେଲେ ତାଙ୍କ ଅବସ୍ଥା ଆହୁରି ବିଗିଡିବାରୁ ସ୍ବାମୀ ଏବଂ ସ୍ତ୍ରୀକୁ ଟ୍ରେନରେ ବସାଇ ଘରକୁ ପଠାଇ ଦେଇଥିଲେ । ଅନ୍ୟପଟେ ତାଙ୍କ ଝିଅ ଓ ଭଣଜାକୁ ସାଙ୍ଗରେ ଆଣିବା ତ ଦୂରର କଥା ଦେଖିବା ପାଇଁ ମଧ୍ୟ ଦେଇନଥିଲେ । ସ୍ବାସ୍ଥ୍ୟ ଭଲ ହେଲେ ପୁଣି ଫେରି ଆସି କାମରେ ଯୋଗ ଦେବାକୁ କହି ଝିଅ ଓ ଭଣଜାକୁ ବନ୍ଧକ ରଖିଛି ଭାଟି ମାଲିକ ।
ଏନେଇ ଉମା ନାୟକ କହିଛନ୍ତି, "ଚାରିଜଣ 1 ଲକ୍ଷ 20 ହଜାର ଟଙ୍କା ଅଗ୍ରୀମ ନେଇ ଦଲାଲ ଜରିଆରେ ବାହାର ରାଜ୍ୟକୁ ଯାଇଥିଲେ । ସେଠି ଏକ ଇଟାଭାଟିରେ କାମ କରୁଥିଲେ । ହେଲେ ସ୍ବାମୀଙ୍କ ଦେହ ଅସୁସ୍ଥ ହେବାରୁ ଚିକିତ୍ସା କରାଇ ଘରକୁ ପଠାଇଦେଇଥିଲେ । କିନ୍ତୁ ଇଟାଭାଟି ମାଲିକ ଝିଅ ଓ ଭଣଜାଙ୍କୁ ସେଠି ଅଟକ ରଖିଛନ୍ତି । ତେବେ ଅଗ୍ରୀମ ନେଇଥିବା ଟଙ୍କା ଫେରସ୍ତ ହେଲେ ତାଙ୍କୁ ଛାଡ଼ିବେ ବୋଲି ଇଟାଭାଟି ମାଲିକ କହିଛନ୍ତି ।"
ଏପଟେ ତାଙ୍କ ଶ୍ବଶୁର ଗୁରୁତର ଅସୁସ୍ଥ ହୋଇ ମୃତ୍ୟୁ ହୋଇ ସାରିଥିବା ବେଳେ ସ୍ଵାମୀ ମଧ୍ୟ ଶଯ୍ୟାଶାୟୀ ଅଛନ୍ତି । ଏଭଳି ସ୍ଥଳେ ତାଙ୍କ ଝିଅ ଓ ଭଣଜାଙ୍କୁ ଉଦ୍ଧାର କରିବାକୁ ସେ ନିବେଦନ କରିଛନ୍ତି । ଏହି ଘଟଣାକୁ ନେଇ ଶୀଘ୍ର ପଦକ୍ଷେପ ନିଆଯିବ ଓ ସେଠି ବନ୍ଧକ ଥିବା ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆ କହିଛନ୍ତି । ଗୋଟିଏ ପଟେ ସ୍ୱାମୀର ଚିକିତ୍ସା ପାଇଁ ଅର୍ଥର ଅଭାବ ଥିବା ବେଳେ ଅନ୍ୟପଟେ ଭାଟି ମାଲିକ ପାଖରେ ଝିଅ ଓ ଭଣଜା ବନ୍ଧକ ଘଟଣା ନେଇ ଚିନ୍ତାରେ ପରିବାର । ତେଣୁ ଝିଅ ଓ ଭଣଜାକୁ ଭାଟିମାଲିକ ପାଖରୁ ଉଦ୍ଧାର କରିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର