ବଲାଙ୍ଗୀର: ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀରରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଏଥିପାଇଁ ରାସ୍ତା ଓ ରେଲୱେ ଟ୍ରାକ ବୁଡିଯାଇଛି । ଟ୍ରାକରେ ପାଣି ଜମି ରହିଥିବାରୁ ବିଭିନ୍ନ ସ୍ଥାନରେ ଟ୍ରେନକୁ ବାତିଲ କରାଯିବା ସହ ଅଧାବାଟରେ ଅଟକି ରହିଛି ।
ଏଥିରେ ବଲାଙ୍ଗୀର-ଲୋହିସିଂହା ଓ ବରପାଲି-ଡୁଙ୍ଗୁରିପାଲି ରେଲୱେ ଟ୍ରାକ ପ୍ରଭାବିତ ହୋଇଛି । ରେଳ ଧାରଣା ଉପରେ ପାଣି ଯୋଗୁଁ ସମ୍ବଲପୁର-ରାୟଗଡା ଏକ୍ସପ୍ରେସ ବରପାଲିରେ ଅଟକି ରହିଛି । ଲୋଇସିଂହାରେ ଆଜମେର-ପୁରୀ ଏକ୍ସପ୍ରେସ ଓ ଡୁଙ୍ଗୁରିପାଲିରେ ଇସ୍ପାତ ଏକ୍ସପ୍ରେସ ଅଟକି ରହିଛି ।
ଏହି ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଟ୍ରେନ ଟ୍ରାକରୁ ପାଣି କମିବା ପରେ ଟ୍ରେନଗୁଡିକ ଗନ୍ତବ୍ୟ ପଥରେ ଚାଲିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି।
ଏହାସହିତ ସମ୍ବଲପୁର ଅର୍ନ୍ତଗତ ଦେଓଗାଁ ରୋଡ–ବରଗଡ ଓ ଟିଟିଲାଗଡ ରୁଟର ରେଳ ଧାରଣା ଉପରେ ପାଣି ଯୋଗୁଁ ସେହି ଟ୍ରାକର ସମସ୍ତ ଟ୍ରେନକୁ ସାମୟିକ ଭାବେ ବାତିଲ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ