ବଲାଙ୍ଗିର: ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଳା ଗ୍ରାମରେ ।
ସୂଚନା ଅନୁଯାୟୀ, ବଲାଙ୍ଗିର ଗୁଡ଼ଭେଳା ଗ୍ରାମର ଘାସି ଭୋଇ ନାମକ ଜଣେ ବ୍ୟକ୍ତି ଗୁରୁବାର ସନ୍ଧ୍ୟାରେ ନିଜ ବିଲକୁ କାଠ ଆଣିବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ତିନୋଟି ଭାଲୁ ଆକ୍ରମଣ କରି ତାଙ୍କ ମୁହଁ ଆଖିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ । ଏହାପରେ ସେ ଚିତ୍କାର କରିବାରୁ ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ବିଲଠାରେ ଆସି ପହଞ୍ଚିଥିଲେ ।
ଏହାପରେ ଗ୍ରାମବାସୀ ଭାଲୁ ମାନଙ୍କୁ ଘଉଡ଼ାଇବା ସହ ଘାସି ଭୋଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଗୁଡ଼ଭେଳା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଥିଲେ ।
ତେବେ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ।
ବଲାଙ୍ଗିରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ