ବଲାଙ୍ଗୀର: ଜିଲ୍ଲା ସାନଟୀକା ଗ୍ରାମରେ ଅବସ୍ଥିତ ଜଳେଶ୍ବର ମନ୍ଦିର । ଏଠାରେ ବାବା ନୀଳକଣ୍ଠ ସବୁବେଳେ ଜଳରେ ବୁଡିରହି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ତେଣୁ ବାବା ମହାଦେବ ଏଠାରେ ଜଳେଶ୍ବର ନାମରେ ପୂଜା ପାଉଛନ୍ତି । ତେବେ କିମ୍ବଦନ୍ତୀ ଆଉ ବିଶ୍ବାସ ରହିଛି ଏହି ପୀଠକୁ ଆସିଲେ ବିଷଧର ସାପ କାମୁଡା କିମ୍ବା ଅନ୍ୟ ବିଷ କ୍ରିୟା ପୀଡିତ ବ୍ୟକ୍ତି ଆରୋଗ୍ୟ ହୋଇଥାଏ । ଏଥିପାଇଁ ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ ।
ବାବା ଜଳେଶ୍ବରଙ୍କୁ ନେଇ ଭକ୍ତଙ୍କ ଆସ୍ଥା ବଢିବା ପରେ ଧିରେ ଧିରେ ପୀଠରେ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତଙ୍କ ଭିଡ ଜମିବାକୁ ଲାଗିଲା । ଜଣେ ସରକାରୀ ଅଧିକାରୀ ମଧ୍ୟ ବାବାଙ୍କ ମହିମାରେ ମୁଗ୍ଧ ହୋଇ ଏଠାରେ ବାବାଙ୍କର ଏକ ମନ୍ଦିର ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାପରେ ଗ୍ରାମବାସୀ ନିଜ ପରିଶ୍ରମରେ ବାବାଙ୍କର ମନ୍ଦିର ନିର୍ମାଣ କରିଛନ୍ତି । ମାତ୍ର ମନ୍ଦିରରେ ଏବେବି ଗମନାଗମନ ଠୁ ଆରମ୍ଭ କରି ବିଭିନ୍ନ ସମସ୍ୟା ରହିଛି । କିନ୍ତୁ ସରକାର କିମ୍ବା ପ୍ରଶାସନର ଏଯାଏଁ ଏହା ଉପରେ ନଜର ପଡିପାରି ନାହିଁ । ଅନ୍ୟପଟେ ମନ୍ଦିର ପାଇଁ ଏଯାବତ୍ ସରକାର 5 ହଜାର ଟଙ୍କା ଅନୁଦାନ ଦେଇଥିବା ଏଠାକାର ଲୋକେ କହିଛନ୍ତି ।
ତେବେ ସରକାର ସବୁଠି ବିକାଶର କଥା କହୁ ଥିବାବେଳେ ଏଭଳି ଏକ ପର୍ଯ୍ୟଟନସ୍ଥଳୀକୁ ଅଣଦେଖା କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯଦି ଏହି ଜଳେଶ୍ବର ମନ୍ଦିରର ଉନ୍ନତି ହୋଇପାରନ୍ତା ତେବେ ଏଠାକାର ପର୍ଯ୍ୟଟନ କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇପାରନ୍ତା ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ