ବଲାଙ୍ଗୀର: ଡାକ୍ତରଙ୍କୁ ପୃଥିବୀରେ ଈଶ୍ବରଙ୍କ ଦ୍ଵିତୀୟ ରୂପ ଭାବରେ ଲୋକେ ବିବେଚନା କରିଥାନ୍ତି । ତେବେ ଅନେକ ସମୟରେ ଅନେକ ଡାକ୍ତର ତାଙ୍କର ମହାନ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ଆସିଥାନ୍ତି । ଏଭଳି ବଲାଙ୍ଗୀର ଜଣେ ଡାକ୍ତର ତାଙ୍କର ମାନବିକତା କାର୍ଯ୍ୟ ପାଇଁ ଏବେ ଚର୍ଚ୍ଚାରେ । ତେବେ ବଲାଙ୍ଗୀରରେ ଡାକ୍ତରାଣୀ ସ୍ବସ୍ତି ରେଖା ନାୟକ ଡ୍ୟୁଟିରେ ନଥାଇ ମଧ୍ୟ ନିଜ ଦାୟିତ୍ବ ତୁଲାଇଛନ୍ତି । ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣାରେ ଛଟପଟ ହେଉଥିବା ଆହତଙ୍କୁ ତୁରନ୍ତ ଚିକିତ୍ସା କରି ତାଙ୍କ ଅମୂଲ୍ୟ ଜୀବନ ବଞ୍ଚାଇଛନ୍ତି । ଏହାପରେ ଡକ୍ଟର ସ୍ବସ୍ତିଙ୍କୁ ଏହି ମାନବିକତା ପାଇଁ ତାଙ୍କୁ ବିଭିନ୍ନ ମହଲରେ ଖୁବ ପ୍ରଶଂସା କରାଯାଇଛି ।
ଡକ୍ଟର ସ୍ବସ୍ତି ଜଣେ ସର୍ଜନ ହୋଇଥିବା ବେଳେ ଏଠି ବରିଷ୍ଠ ରେସିଡେଣ୍ଟ ସର୍ଜନ ଭାବରେ କାର୍ଯ୍ୟ କରୁଛନ୍ତି। ତେବେ ସେ ଆଜି ନିଜର ବ୍ୟକ୍ତିଗତ କାମ ପାଇଁ ବରଗଡ ଯାଇ ବଲାଙ୍ଗୀର ଫେରୁଥିଲେ । ଫେରିଲା ସମୟରେ ୨୬ ନମ୍ବର ଜାତୀୟ ରାଜପଥ ଛତାମଖନା ଗ୍ରାମଠାରେ ବିଚ ରାସ୍ତାରେ ସେ ଭିଡ଼ ଦେଖିଥିଲେ । ତେବେ ସୂଚନା ନେବାରୁ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଛଟପଟ ହେଉଥିବା ସେ ଜାଣିବାକୁ ପାଇଲେ । ଏହାପରେ ସେ ତୁରନ୍ତ ବ୍ୟକ୍ତିଙ୍କ ପାଖକୁ ଯାଇ ରାସ୍ତା ମଝିରେ ତାଙ୍କୁ ଚିକିତ୍ସିତ କରିଥିଲେ । ହେଲେ ବ୍ୟକ୍ତି ଜଣକ ଗୁରୁତର ଥିବାରୁ ତାକୁ ଶୀଘ୍ର ଡାକ୍ତରଖାନା ଆଣିବା ନିହାତି ଆବଶ୍ୟକ ଥିଲା ।
ଏହା ବି ପଢନ୍ତୁ- ଡାକ୍ତରଙ୍କ ବଦାନ୍ୟତା, ଗରିବ ଅସହାୟଙ୍କୁ ବାଣ୍ଟୁଛନ୍ତି ଖାଦ୍ୟ ସାମଗ୍ରୀ
ଏହାପରେ ପ୍ରଥମେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ସେ ନିଜେ ଲୋକଙ୍କ ସହାୟତାରେ ଆହତ ବ୍ୟକ୍ତିଙ୍କୁ ନିଜ କାରରେ ନେଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣିଥିଲେ । ଏହାପରେ ମେଡିକାଲରେ ପହଞ୍ଚିବା ପରେ ଆହତ ବ୍ୟକ୍ତିଙ୍କର ଚିକିତ୍ସା ସେ ନିଜେ ଆରମ୍ଭ କରିଥିବା ବେଳେ ସୌଭାଗ୍ୟବଶତଃ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଛି । ତେବେ ଆହତ ବ୍ୟକ୍ତି ଜଣକ ବଲାଙ୍ଗୀର ମନହିରା ଗ୍ରାମର ଗଜୀନ ବାଗ ବୋଲି ଜଣାପଡିଛି । ସେ ଆଜି ସନ୍ଧ୍ୟାରେ ନିଜ ଗାଁରୁ ଲୋଇସିଂହା ପଟକୁ ଯାଉଥିବା ବେଳେ ଏକ ଅଜଣା ୪ ଚକିଆ ତାଙ୍କୁ ଧକ୍କା ଦେଇଥିଲା । ଏଣୁ ସେ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ ।
ଶତାଧିକ ଲୋକ ସେଠି ଉପସ୍ଥିତ ଥିବା ବେଳେ କିଛି ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ଏମ୍ବୁଲେନ୍ସ ବିଳମ୍ବ ହେବାରୁ ଏହି ବ୍ୟକ୍ତି ଆହୁରି ଗୁରୁତର ହୋଇପଡ଼ିଥିଲେ । ଠିକ ସେହି ସମୟରେ ଡକ୍ଟର ସ୍ବସ୍ତି ଦୁର୍ଘଟଣା ସ୍ଥଳ ଦେଇ ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରିଛନ୍ତି । ତେବେ ଡାକ୍ତରଙ୍କ ଏହି ମାନବିକତା ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି । ସେପଟେ ଡାକ୍ତର ସ୍ବସ୍ତି ରେଖା ନାୟକ କହିଛନ୍ତି ଯେ ସେ ନିଜେ କାର ଚଳାଇ ବରଗଡ଼ରୁ ଫେରୁଥିଲେ ଏବଂ ରାସ୍ତାରେ ଏହି ଘଟଣା ଘଟିଥିବାର ସେ ଦେଖିଥିଲେ ।
ତେବେ ଏହାପରେ ସମୟ ବିଳମ୍ବ ନକରି ଯଥା ସମ୍ଭବ ଚେଷ୍ଟା କରି ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ଦେଇଥିଲେ । ଡକ୍ଟର ସ୍ବସ୍ତି କହିଛନ୍ତି ଯେ ଦୁର୍ଘଟଣା ପରେ ୬ ଘଣ୍ଟା ସମୟ ଅତି ଗୁରୁତ୍ଵପୂର୍ଣ୍ଣ ଅଟେ ଏବଂ ଏହି ସମୟରେ ଆହତଙ୍କୁ ଉଚିତ ଚିକିତ୍ସା ମିଳିଲେ ତାଙ୍କର ଜୀବନ ବଞ୍ଚିବାର ସମ୍ଭାବନା ଅଧିକ ଥାଏ । ତେଣୁ ସାଧାରଣ ଲୋକେ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଆହତଙ୍କୁ ସାହାଯ୍ୟ ପାଇଁ ଆଗକୁ ଆସିବା ଜରୁରୀ । ଯାହାଫଳରେ ମୂଲ୍ୟବାନ ଜୀବନ ବଞ୍ଚିପାରିବ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର