ବଲାଙ୍ଗୀର: ଜିଲ୍ଲାରୁ ବାହାର ରାଜ୍ୟକୁ ବେଆଇନ ଦାଦନ ଚାଲାଣ ବନ୍ଦ ହେବାର ନାଁ ଧରୁନି । ତେବେ ଆଜି 30 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଦାଦନଙ୍କୁ ନେଉଥିବା ମୁଖ୍ୟ ମାଷ୍ଟରମାଇଣ୍ଡ ଫେରାର ।
ଟିଟିଲାଗଡ଼ ରେଳଷ୍ଟେସନରେ ବାହାର ରାଜ୍ୟ ହାଇଦ୍ରାବାଦ ଏବଂ ବାଙ୍ଗାଲୁରୁକୁ ଚାଲାଣ ହେବାକୁ ଥିବା ଅନେକ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି। ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥି ଏବଂ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ନେତୃତ୍ବ ରେ ରେଳଷ୍ଟେସନରୁ 30 ରୁ ଊର୍ଦ୍ଧ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରୁ 12 ଜଣ ମହିଳା, 10 ଜଣ ଶିଶୁ ସମେତ 8 ପୁରୁଷ ଶ୍ରମିକ ରହିଛନ୍ତି।
ବେଆଇନ ଭାବରେ ଚାଲାଣ କରାଯାଉଥିବା ଖବର ପାଇ ଟିଟିଲାଗଡ଼ ପୋଲିସ, ଜିଆରପି ବିଭାଗ ଏବଂ ରେଳବାଇ ପୋଲିସ ଷ୍ଟେସନ ଭିତରେ ଚଢ଼ାଉ କରି ବିଭିନ୍ନ ସ୍ଥାନରେ ରହିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି । ସବୁ ଶ୍ରମିକ ମାନଙ୍କୁ ଟିଟିଲାଗଡ଼ ପୋଲିସ ଥାନା ନିଆଯାଇଥିବା ବେଳେ ଦାଦନଙ୍କୁ ନେଉଥିବା ମାଷ୍ଟରମାଇଣ୍ଡ ଫେରାର ହୋଇଯାଇଛି । ପୋଲିସ ଏହାର ଅଧିକ ତଦନ୍ତ ଜାରି ରଖିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ