ବଲାଙ୍ଗୀର: ପୋଲିସ ଓ ମାଓ ମଧ୍ୟରେ ଗୁଳି ବିନିମୟ । ଫଳରେ ମାଓବାଦୀ କ୍ୟାମ୍ପ ଛାଡି ପଳାଇଥିବା ବେଳେ ପୋଲିସ ଏହି ବଡ କ୍ୟାମ୍ପକୁ ଠାବ କରିଛି। ଶନିବାର ଠାବ ହୋଇଥିବା ଏହି ବଡ କ୍ୟାମ୍ପରେ ବହୁ ବ୍ୟବହୃତ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ସେପଟେ ସମ୍ପୃକ୍ତ ଅଞ୍ଚଳରେ ପୋଲିସର କୁମ୍ବିଂ ଅପରେସନ ଜାରି ରହିଛି ।
ଶନିବାର ବଲାଙ୍ଗୀରର ମାଓ ପ୍ରଭାବିତ ଅଞ୍ଚଳ ଖପ୍ରାଖୋଲ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୋଲିସର କୁମ୍ବିଂ ଅପରେସନ କରାଯାଇଥିଲା । ଏଥିରେ ଜଙ୍ଗଲରେ 8ରୁ ଅଧିକ ମାଓବାଦୀ ଲୁଚି ରହିଥିବାବେଳେ ପୋଲିସ ସେମାନଙ୍କୁ ଠାବ କରିଥିଲା । ପରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଘଟଣାରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବାବେଳେ ପୋଲିସ ହାତରେ ଲାଗିଥିଲା ଏକ ବଡ ମାଓ କ୍ୟାମ୍ପ ।
କ୍ୟାମ୍ପରୁ ଜବତ ସାମଗ୍ରୀ ମଧ୍ୟରେ ରହିଥିଲା ମାଓବାଦୀ ୟୁନିଫର୍ମ, ବାସନ କୁସନ, ଛତା, ଜୋତା, ମାଓ ପୋଷ୍ଟର ଓ ଲାଇଟ ବ୍ୟାଟେରୀ ଇତ୍ୟାଦି । ସେପଟେ ବଲାଙ୍ଗୀର ବରଗଡ ମହସକୁଣ୍ଡ ଡିଭିଜନର ମାଓ ସଙ୍ଗଠନର ଏହି କ୍ୟାମ୍ପ ହୋଇଥିବା ପୋଲିସ ସୂଚନା ଦେଇଛି । ସେହିପରି ସମ୍ପୃକ୍ତ ଗନ୍ଧମାର୍ଦ୍ଦନ ଜଙ୍ଗଲକୁ ପୋଲିସ ଘେରି ରହି କୁମ୍ବିଂ ଅପରେସନ ଜାରି ରଖିଛି ।
ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ରହିନାହିଁ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ