ବଲାଙ୍ଗୀର: କଥାରେ ଅଛି ରାଗ ବ୍ରହ୍ମଚଣ୍ଡାଳ । ରାଗରେ ମଣିଷ କ'ଣ କରିବସେ ସେ ନିଜେ ଜାଣି ନଥାଏ । ସେମିତି କିଛି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ସାମାନ୍ୟ ଝଗଡାରୁ ନିଜ ସ୍ତ୍ରୀକୁ ନିର୍ମମ ଭାବେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ସ୍ବାମୀ । ପାଟଣାଗଡ଼ ଅନ୍ତର୍ଗତ ଲାରମ୍ଭା ଥାନା ଘୁମେର ଗ୍ରାମରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପତ୍ନୀହନ୍ତା ସ୍ବାମୀକୁ ଥାନାରେ ଅଟକ ରଖିଛି । ମୃତକ ମହିଳା ହେଲେ ସେହି ଗ୍ରାମର ରାଇମତୀ ସାହୁ ।
ଏହାମଧ୍ୟ ପଢନ୍ତୁ: ମଦୁଆ ପୁଅର ଠେଙ୍ଗା ମାଡରେ ଚାଲିଗଲା ବାପାର ଜୀବନ
ସୂଚନା ଅନୁସାରେ, ରାଇମତୀ ଓ ତାଙ୍କ ସ୍ଵାମୀ ଲଖେନ୍ଦ୍ର ସାହୁ ଘୁମେର ଗାଁରେ ବସବାସ କରୁଥିଲେ । ନିଜ ବିଲରେ ଥିବା ମହୁଲ ଗଛରୁ ଫୁଲ ଓ ଫଳ ସଂଗ୍ରହ କରି ତାକୁ ବିକ୍ରି ଚଳୁଥିଲେ । ସବୁଦିନ ପରି ଆଜି ମଧ୍ୟ ଦୁହେଁ ଭୋରରୁ ମହୁଲ ଫଳ ଗୋଟାଇବାକୁ ସାଙ୍ଗ ହୋଇ ଯାଇଥିଲେ । ସେଠାରେ ଦୁହିଁଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ କଥା କଟାକଟି ହୋଇଥିଲା । ଯାହାପରେ ସ୍ବାମୀ ଲଖେନ୍ଦ୍ର ସାହୁ ଉତ୍ୟକ୍ତ ହୋଇ ସ୍ତ୍ରୀ ରାଇମତୀଙ୍କ ମୁଣ୍ଡକୁ ଠେଙ୍ଗାରେ ବାରମ୍ବାର ପ୍ରହାର କରିଥିଲେ । ଫଳରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ଜାଣିବା ପରେ ଗ୍ରାମବାସୀ ମୃତ ମହିଳାଙ୍କ ପୁଅକୁ ଖବର ଦେଇଥିଲେ । ପୁଅ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ ।
ଅଭିଯୋଗ ପାଇ ଲରମ୍ଭା ପୋଲିସ୍ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ବଲାଙ୍ଗୀର ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ କରୁଛି । ପତ୍ନୀହନ୍ତା ସ୍ବାମୀ ଲାଖେନ୍ଦ୍ର ସାହୁକୁ ଥାନାରେ ଅଟକ ରଖାଯାଇଛି । ତେବେ ସାମାନ୍ୟ କଳହ ଯୋଗୁଁ ଅଭିଯୁକ୍ତ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ ସୂଚନା ଦେଇଛି ।
ମୃତ ମହିଳାଙ୍କ ପୁଅ କବି ସାହୁ କହିଛନ୍ତି ଯେ, ବାପାମାଆ ତାଙ୍କ ଠାରୁ ଅଲଗା ରହୁଥିଲେ । ମହୁଲ ଫୁଲ ଓ ଫଳ ବିକ୍ରି ଯାହା ରୋଜଗାର ହେଉଥିଲା ସେଥିରେ ଚଳୁଥିଲେ । ସବୁଦିନ ଭଳି ଆଜି ବି ସେମାନେ ମହୁଲ ପାଇଁ ବିଲକୁ ଯାଇଥିଲେ । ସେଠି ତାଙ୍କ ବାପା ମାଆଙ୍କୁ ପିଟିପିଟି ହତ୍ୟା କରିଥିବାର ସେ ଲୋକଙ୍କ ଠାରୁ ସୂଚନା ପାଇ ପହଞ୍ଚିଥିଲେ । ଏନେଇ ପୋଲିସକୁ ଖବର ଦେବା ପରେ ତାଙ୍କ ବାପାଙ୍କୁ ଥାନାରେ ଅଟକ ରଖାଯାଇଛି । ସେପଟେ ପୋଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟାରେ ବ୍ୟବହୃତ ଠେଙ୍ଗା ଜବତ କରିଛି । ପୋଲିସ ବର୍ତ୍ତମାନ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।
ଇଟିଭି ଭାରତ, ବଲାଙ୍ଗୀର