ବଲାଙ୍ଗୀର: ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା ବଲାଙ୍ଗୀର ପୂର୍ବତନ ସୈନିକ ସଂଘ । ୱାନ୍ ରାଙ୍କ ୱାନ୍ ପେନ୍ସନ୍ ଦାବି କରି ବଲାଙ୍ଗୀର ଜିଲ୍ଲା ପୂର୍ବତନ ସୈନିକ ସଂଘ, ଶହୀଦଙ୍କ ପରିବାର ପ୍ରତିବାଦ କରିଛନ୍ତି । ସ୍ଥାନୀୟ କୋଶଳ କଳା ମଣ୍ଡଳଠାରୁ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଥାଶୀଘ୍ର ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପୂର୍ବତନ ସୈନିକ ସଂଘ ଚେତାବନୀ ଦେଇଛି ।
ବଲାଙ୍ଗୀର ପୂର୍ବତନ ସୈନିକ ସଂଘ ଅଭିଯୋଗ ଅନୁଯାୟୀ, ଦିବ୍ୟାଙ୍ଗ, ଶହୀଦ ପରିବାର ଏବଂ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ଯବାନଙ୍କ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପାତର ଅନ୍ତର ନୀତି ଆପଣାଇଛନ୍ତି । ସମାନ ରାଙ୍କକୁ ସମାନ ପେନ୍ସନ୍, ଇସିଏଚ୍ଏସ୍ ଏବଂ ସିଏସ୍ଡି କ୍ୟାଣ୍ଟିନ୍ରେ ସମାନ ସୁବିଧା ନେଇ ଦାବି କରି ସମଗ୍ର ଭାରତ ବର୍ଷରେ ସମସ୍ତ ପୂର୍ବତନ ସୈନିକ ସଂଘ ରାଜରାସ୍ତାରେ ଓହ୍ଲାଇ ପ୍ରତିବାଦ କରୁଛନ୍ତି । କେନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ସଂଘ ଅଭିଯୋଗ କରିଛି ।
ଦେଶର ୭୬୬ ଜିଲ୍ଲାରେ ପୂର୍ବତନ ଯବାନମାନେ ରାଲି ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ରକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଉଛି । ଏହି କ୍ରମରେ ବଲାଙ୍ଗୀରରେ ମଧ୍ୟ ପୂର୍ବତନ ସୈନିକ ସଂଘ ବିଭିନ୍ନ ଦାବି ନେଇ ପ୍ରତିବାଦ କରିଛି । ଜିଲ୍ଲାରେ ପୂର୍ବତନ ସୈନିକମାନଙ୍କ ବିଧବା ପତ୍ନୀ ପେନ୍ସନ୍ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ଯବାନଙ୍କ ପାଇଁ କାର୍ଯ୍ୟାଳୟ ନଥିବାରୁ ପୂର୍ବତନ ଯବାନ, ସହୀଦ ପରିବାର ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ବୋଲି ସଂଘ କହିଛି ।
ଏହା ମଧ୍ୟ ପଢ଼ନ୍ତୁ: ବ୍ରହ୍ମପୁରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ: କୁକୁର ଭୟରେ କାରରେ ପିଟିହେଲା ସ୍କୁଟି, ଭିଡିଓ ଭାଇରାଲ
ଏନେଇ ପୂର୍ବତନ ସୈନିକ ସଂଘ ସଭାପତି କହିଛନ୍ତି, "ଭାରତର ପ୍ରଧାନମନ୍ତ୍ରୀ ସୀମାରେ ଯବାନଙ୍କ ସହ ହୋଲି ଏବଂ ଦିପାବଳୀ ପାଳନ କରୁଛନ୍ତି । ଭାରତର ସମସ୍ତ ପୂର୍ବ ସୈନିକ ପ୍ରଧାନମନ୍ତ୍ରୀଙ୍କ ଉପରେ ଯେଉଁ ଆସ୍ଥା ରଖିଛନ୍ତି, ନିଶ୍ଚିତ ଭାବରେ ଦାବିକୁ ଗ୍ରହଣ କରିବେ । ନହେଲେ ଆଗାମୀ ଦିନରେ ସମସ୍ତ ପୂର୍ବ ସୈନିକ ଏବଂ ପରିବାର ରାଜରାସ୍ତାକୁ ପୁଣି ଓହ୍ଲାଇବେ, ଯାହାକି ଗଣତନ୍ତ୍ର ପାଇଁ ଶୁଭପ୍ରଦ ହେବ ନାହିଁ ।" ପୂର୍ବତନ ସୈନିକ ସଂଘ ସଭାପତି ପ୍ରତାପ ରଥଙ୍କ ନେତୃତ୍ବରେ ଶତାଧିକ ଯବାନ ପରିବାର ଏକାଠି ହୋଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର