ବଲାଙ୍ଗୀର: ପେଶାରେ ଡ଼ାକ୍ତର ହେଲେ ନିଶା ତାଙ୍କର ନାଟକ । ବ୍ୟସ୍ତ ବହୁଳ କର୍ମ କ୍ଷେତ୍ରରୁ ସମୟ ଦେଇ ବଲାଙ୍ଗୀରର ଡାକ୍ତର ଏବେ ଆଞ୍ଚଳିକ ଓ ପାରମ୍ପରିକ ନାଟକକୁ ବଞ୍ଚାଇ ରଖିବାର କରିଛନ୍ତି ପ୍ରଚେଷ୍ଟା । ନିଜେ ଏଥିରେ ଅଭିନୟ କରି ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗ ବରିଷ୍ଠ ଡାକ୍ତର ରୁଦ୍ର ନାରାୟଣ ପଟେଲ । ସ୍ଥାନୀୟ ଅଞ୍ଚଳର ଅନେକ କଳାକାରଙ୍କୁ ଏକତ୍ରିତ କରି ସେ ରାମଲୀଳା ଓ ଅନେକ ଲୋକକଥା ମଞ୍ଚସ୍ଥ କରୁଥିବା କହିଛନ୍ତି ।
ପେଶାରେ ଜଣେ ଡ଼ାକ୍ତର ହୋଇଥିବାବେଳେ ଜନ ସେବା କରିବା ତାଙ୍କର ପ୍ରଥମ ଉଦ୍ଦେଶ୍ୟ ଥିଲା । ବଲାଙ୍ଗୀର ଜିଲ୍ଲାରେ ସେ ତାଙ୍କ ମିଠା କଥା ଓ ଚିକିତ୍ସା ପାଇଁ ସବୁଠି ଜଣାଶୁଣା ଅଟନ୍ତି । ତେବେ ସେ ତାଙ୍କର ଏହି ଡାକ୍ତରୀ ପେଶାରେ 21 ବର୍ଷ ଦେଇ ସାରି ଏବେ ବି ସେବା କରୁଛନ୍ତି । ଦିନବେଳା ବ୍ୟସ୍ତତା ମଧ୍ୟରେ ରହି ମଧ୍ୟ ସେ କଳା ସଂସ୍କୃତିକୁ ଉଜ୍ଜୀବିତ କରିବାର କାମ ଆରମ୍ଭ କରିଛନ୍ତି । ତାଙ୍କର ଛୋଟ ଦିନରୁ ନାଟକ ପ୍ରତି ଅହେତୁକ ରୁଚି ରହି ଆସିଥିଲା । ଯେଉଁଥିରେ ପାରମ୍ପରିକ ନାଟକ ଏବେ ହଜି ଯାଉଥିବାର ସେ ହୃଦୟଙ୍ଗମ କରିଥିଲେ । ଏହାକୁ ପୁଣି ଜୀବନ ଦେବାକୁ ସେ ଚେଷ୍ଟା ଆରମ୍ଭ କରିଥିଲେ ।
ଯେଉଁଥିରେ ଅତି ବ୍ୟସ୍ତତା ମଧ୍ୟରେ ସେ ସମୟ କାଢି ପାରମ୍ପରିକ ପୌରାଣିକ ନାଟକ ପାଇଁ ସେ ଚେଷ୍ଟା କରିବା ସହ ନିଜେ ଅଭିନୟ ମଧ୍ୟ କରୁଛନ୍ତି । ତେବେ ସେ ବଲାଙ୍ଗୀର ରାମଜୀପଡ଼ାରେ ଥିବା ସମସ୍ତ ପୁରୁଣା ଓ ନୂଆ କଳାକାରଙ୍କୁ ଏକତ୍ରିତ କରିଛନ୍ତି । ସେହି ପାରମ୍ପରିକ ନାଟକକୁ ମଞ୍ଚସ୍ଥ କରି ବେଶ ପ୍ରଶଂସା ସାଉଁଟିଛନ୍ତି । ଯେଉଁଥିରେ ସେ ନିଜେ ରାବଣ ଭୂମିକାରେ ଆସି ଲୋକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ତେବେ ଏହି ସମାଜରେ ସେ ବଢିଛନ୍ତି ଏବଂ ଏଠିକାର କଳା ସଂସ୍କୃତି ତାଙ୍କୁ ଅନେକ ଶିକ୍ଷା ଦେଇଛି । ଏହାପ୍ରତି ତାଙ୍କର ମଧ୍ୟ କର୍ତ୍ତବ୍ୟ ରହିଛି । ଏଥିଲାଗି ସେ ଏହି ପାରମ୍ପରିକ କଳା ସଂସ୍କୃତି ପାଇଁ କିଛି କରିବା ପାଇଁ ଆଗେଇ ଆସିଛନ୍ତି । ସେ ଦୀର୍ଘ ବର୍ଷରୁ ବନ୍ଦ ଥିବା ଏହି ପାରମ୍ପରିକ ନାଟକକୁ ଜୀବନ ଦେବା ଓ ତାକୁ ପୁଣି ମଞ୍ଚସ୍ଥ କରିବାର ପ୍ରଚେଷ୍ଟା ଆରମ୍ଭ କରିଥିବାର କହିଛନ୍ତି ।
ଏହି ପ୍ରୟାସ ଦ୍ବାରା ପୁରୁଣା ସଂସ୍କୃତି ବଜାୟ ରଖିପାରିବା ସହ ଆଜିର ପିଢ଼ି ମଧ୍ୟ ଏଥିରୁ ଶିକ୍ଷା ଲାଭ କରିବେ ବୋଲି ସେ କହିଛନ୍ତି । ଏହାସହ ସେ ଆଗକୁ ମଧ୍ୟ ଏଥିପ୍ରତି ପ୍ରଚେଷ୍ଟା ଜାରି ରଖିବେ । ସେହିପରି କେବଳ ସେ ନୁହେଁ ଏହାଦ୍ବାରା ହଜି ଯାଇଥିବା ପରମ୍ପରା ପାଇଁ ଏବେ ତାଙ୍କ ସହ ଅନେକ କଳାକାର ଓ କଳା ପ୍ରେମୀ ଏକାଠି ହୋଇଥିବାର ସେ କହିଛନ୍ତି । ଆଜିର ଆଧୁନିକ ଯୁଗରେ ଲୋକେ ମୋବାଇଲ ଟିଭିରେ ଆଧୁନିକ ସିନେମାରେ ମଜ୍ଜି ଯାଇଛନ୍ତି ଏବଂ ଏହାରି ମଧ୍ୟରେ ପୁରୁଣା ପାରମ୍ପରିକ ନାଟକ ସଂସ୍କୃତି ହଜିବାରେ ଲାଗିଛି । ଏହାକୁ ପୁଣି ଜୀବିତ କରିବା ପାଇଁ ଡାକ୍ତରଙ୍କ ଏହି ପ୍ରୟାସକୁ ସବୁଠି ବେଶ ପ୍ରଶଂସା କରାଯାଉଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ