ବଲାଙ୍ଗୀର: ଲାଞ୍ଚ ନେଇ ଗିରଫ ହେଲେ ସିନ୍ଧେକେଲା ଆଇଆଇସି । ଚାକିରୀରୁ ନିଲମ୍ବିତ କଲେ ଡିଜିପି(DGP suspended Sindhekela IIC for taking bribe)। ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା ଲାଞ୍ଚ ନେଇ ଧରିପଡିବା ପରେ ଆଜି ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ଗତ ୩ ତାରିଖ ଦିନ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ଏହାପରେ ଗତ ୫ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ, ଗତ ୨୦୨୦ର ଏକ ମାମଲାକୁ ରଫା ଦଫା କରିବା ପାଇଁ ସେ କଣ୍ଟାବାଞ୍ଜିର ଜଣେ ବ୍ୟାଙ୍କ କର୍ମଚାରୀ ଅଜିତ କୁମାର ଘଡେଇଙ୍କଠୁ ଟଙ୍କା ଦାବି କରିଥିଲେ । ଏନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଗତ ତିନି ତାରିଖ ଦିନ ସେ ଅଭିଯୋଗକାରୀଙ୍କ ଠାରୁ ୨୫ ହଜାର ଟଙ୍କା ନେଉଥିବା ବେଳେ ବରଗଡ ଭିଜିଲାନ୍ସ ଟିମ ଆଇଆଇସି ଆଲୋକ କୁମାର ବେହେରାଙ୍କୁ ଧରିଥିଲା । ଏହାପରେ ଏକକାଳୀନ ତିନୋଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ।

ଏହା ମଧ୍ୟ ପଢନ୍ତୁ-Vigilance Raid: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସିନ୍ଧେକେଲା IIC
ବଲାଙ୍ଗୀର ସିନ୍ଧେକେଲା ପୋଲିସ ଷ୍ଟେସନ, ତାଙ୍କର ସରକାର ଆବାସ ଓ କଟକ ଓଲଟପୁର ଅନ୍ତର୍ଗତ ଅୱାଲପୁର ସ୍ଥିତ ତାଙ୍କର ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଏହି ମାମଲାରେ ତଦନ୍ତ ଜାରି ରଖି ଗତ ୫ ତାରିଖରେ ଭିଜିଲାନ୍ସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା । ଆଜି ତାଙ୍କୁ ଚାକିରୀରୁ ନିଲମ୍ବତ କରାଯାଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, ବଲାଙ୍ଗୀର