ବଲାଙ୍ଗୀର: ଜିଲ୍ଲାର ଗୁଡ଼ଭେଲା ବ୍ଲକ୍ ଦେଉଳଗୁଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ଇଟା ବୋହା ଘଟଣା ଚପାଇ ଦେବାକୁ ଉଦ୍ୟମ। ଶିକ୍ଷା ବିଭାଗ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ପଦକ୍ଷେପ ନେବା ପରିବର୍ତ୍ତେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଜଣା ପଡିଛି । ଏପରିକି ତଦନ୍ତରେ ଘଟଣାକୁ ମିଥ୍ୟା ବୋଲି ଦର୍ଶାଯାଇଛି । ଯାହାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।
କିଛି ଦିନ ତଳେ ଏହି ସ୍କୁଲର ପିଲାଙ୍କୁ ବିପଦପୂର୍ଣ୍ଣ ଇଟା ବୁହା କାମରେ ନିୟୋଜିତ କରିବାର ଭିଡିଓ ଆମ କ୍ୟାମେରାରେ କଏଦ ହୋଇଥିଲା । ଯାହାର ଖବର ଆମେ ପ୍ରସାରଣ ମଧ୍ୟ କରିଥିଲୁ । ଆଉ ଏନେଇ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା । ହେଲେ ସବୁ ସତ ଜଳ ଜଳ ଦିଶୁଥିବା ବେଳେ ଶିକ୍ଷା ବିଭାଗ ଏହାକୁ ମିଛ ବୋଲି ଏବେ କହିଛି ଯାହାକୁ ନେଇ ସାଧାରଣରେ ଅନେକ ଦ୍ବନ୍ଦ ଉପୁଜିଛି ।
ପ୍ରଧାନ ଶିକ୍ଷକ ଛାତ୍ର ଛାତ୍ରୀଙ୍କୁ ଲଗାଇ ଇଟା ଵୋହାଇବା ଖବର ପ୍ରସାରଣ ପରେ ଶିକ୍ଷା ବିଭାଗର ଅଧିକାରୀ ସଂପୃକ୍ତ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଛାତ୍ରଛାତ୍ରୀ, ଶିକ୍ଷକ ଓ ଗାଁର ଲୋକଙ୍କୁ ପଚରା ଉଚରା କରି ଫେରି ଆସିଛନ୍ତି ଶିକ୍ଷା ବିଭାଗର ଅଧିକାରୀ। ଏନେଇ ଗୁଡଭେଲା ବ୍ଲକ୍ ଶିକ୍ଷା ଅଧିକାରୀ ସୁରେଶ ରାଉତ ରାୟଙ୍କୁ ପଚରା ଯିବାରୁ ସେ ତଦନ୍ତ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦେଇଥିବା ସୂଚନା ଦେଇଛନ୍ତି। ହେଲେ ତଦନ୍ତରେ ସେଭଳି କିଛି ସତ୍ୟତା ନଥିବା ସେ ଦର୍ଶାଇଛନ୍ତି।
ଅନ୍ୟ ପଟେ ଗାଁର ଜଣେ ଅଭିଭାବକ କହିଛନ୍ତି ଯେ, ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଇଟା ବୋହା କାର୍ଯ୍ୟରେ ନିୟୋଜିତ କରିବା ସମ୍ପୂର୍ଣ୍ଣ ବେଆଇନ। ତେବେ ଏ ସମୟରେ ଯଦି କିଛି ଅଘଟଣ ଘଟିଥାନ୍ତା ତାହେଲେ ଏଥିପାଇଁ କିଏ ଦାୟୀ ରହିଥାନ୍ତା ? ବୋଲି ସେ ପ୍ରଶ୍ନ କହିଛନ୍ତି । ଛାତ୍ର ଛାତ୍ରୀ ଇଟା ବୋହି ଥିଲେ ମଧ୍ୟ ତାହାକୁ ମିଥ୍ୟା ବୋଲି ପ୍ରମାଣିତ କରିବା ଶିକ୍ଷା ବିଭାଗ ଅଧିକାରୀଙ୍କ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଛାତ୍ରଛାତ୍ରୀ ଇଟା ବୋହୁ ଥିବା ଘଟଣା ଜଳ ଜଳ ଦିଶୁଥିଲେ ମଧ୍ୟ ବିଭାଗ ଏହାକୁ ଘଣ୍ଟ ଘୋଡାଇବାକୁ କାହିଁକି ଚେଷ୍ଟା କରୁଛି ବୋଜି ତେଜିଛି ପ୍ରଶ୍ନ ।
କୋମଳମତି ପିଲାଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ପ୍ରଧାନ ଶିକ୍ଷକ ଭକ୍ତ ରଞ୍ଜନ ଭୋଇଙ୍କ ଉପରେ ପଦକ୍ଷେପ ନେବା ପରିବର୍ତ୍ତେ ତାଙ୍କୁ ଏଭଳି କାର୍ଯ୍ୟ କରିବାକୁ ବିଭାଗ ପ୍ରୋତ୍ସାହିତ କରୁନି ତ! ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ଗ୍ରାମର ବୁଦ୍ଧିଜୀବି ।
ଘଟଣା ଅନୁସାରେ, ଗତ ଶନିବାର ଜିଲ୍ଲାର ଗୁଡଭେଲା ବ୍ଲକ ଦେଉଳଗୁଡ଼ି ଗାଁରେ ଛାତ୍ରଛାତ୍ରୀଙ୍କୁ ଇଟା ବୋହାଇବା କାମରେ ଲଗାଇଥିଲେ ପ୍ରଧାନ ଶିକ୍ଷକ ଭକ୍ତ ରଞ୍ଜନ ଭୋଇ! ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ଶିକ୍ଷକ ସେମାନଙ୍କୁ ବିପଦପୂର୍ଣ୍ଣ କାମରେ ନିୟୋଜିତ କଲେ କାହିଁକି ? ଛୋଟ ଛୋଟ ଛୁଆଙ୍କୁ ଇଟା ଵୋହାଇବା ଭଳି ଜଟିଳ କାମ କରାଇବା ଶିଶୁ ନିର୍ଯାତନା ନୁହେଁ କି ? ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ବିଇଓ ସୁରେଶ ରାଉତରାୟ ଏହାର ତଦନ୍ତ କରି ରିପୋର୍ଟ ଦେଇଥିବା କହିଛନ୍ତି। ତେବେ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବାରୁ ଜିଲ୍ଲା ପ୍ରଶାସନଙ୍କୁ ଏ ଦିଗରେ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ଉଠିଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ