ବଲାଙ୍ଗୀର: ଶାଳୀକୁ କମେଣ୍ଟ ମରାକୁ ନେଇ ହତ୍ୟାକାଣ୍ଡ । ଶେଷରେ ସାନ ଭାଇକୁ ହତ୍ୟା କରିବାକୁ ପଛାଇଲାନି ବଡ଼ ଭାଇ । କମେଣ୍ଟ ମରାକୁ ସାନ ଭାଇ ବିରୋଧ କରିବାରୁ ଉତକ୍ଷିପ୍ତ ହୋଇ ବଡ଼ ଭାଇ ନେଲା ସାନ ଭାଇର ଜୀବନ । ଏଭଳି ଅଭାବନୀୟ ଘଟଣା ଜିଲ୍ଲାର ଚମରାପଡ଼ାରେ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି କରିଛି ଚାଞ୍ଚଲ୍ୟ ।
ସୂଚନା ମୁତାବକ, ସେହି ଗ୍ରାମର ସାନ ଭାଇ ବା ମୃତକ ଜୋସେଫ ରୋହିଦାସ ଓ ବଡ ଭାଇ ରାଜୀନ ରୋହିଦାସ ଉଭୟ କବାଡି କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ସାନ ଭାଇ ଜୋସେଫଙ୍କ ଘରେ ତାଙ୍କ ଅବିବାହିତା ଶାଳୀ ରହୁଥିଲେ । ବଡ ଭାଇ ରାଜୀନ ବିଭିନ୍ନ ସମୟରେ ମଦ୍ୟପାନ କରି ଅଶାଳୀନ ଭାଷାରେ ଶାଳୀଙ୍କୁ କମେଣ୍ଟ କରୁଥିଲା । ଯାହାକୁ ନେଇ ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେବେ ରାତିରେ ସାନ ଭାଇ ଜୋସେଫ ତାଙ୍କ ଝିଅ ସହିତ ବାହାରେ ଶୋଇଥିବା ବେଳେ ଅଭିଯୁକ୍ତ ବଡ଼ ଭାଇ ଜୋସେଫକୁ ତଣ୍ଟି ଚିପି ହତ୍ୟା କରିଥିଲା ।
ଘଟଣାସ୍ଥଳରେ ସାନଭାଇ ଜୋସେଫଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଝିଅ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ପରିବାର ଲୋକେ ଜୋସେଫଙ୍କୁ ଡାକ୍ତରଖାନା ନେଇଥିଲେ ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସହ ଅଭିଯୁକ୍ତ ବଡ଼ ଭାଇକୁ ଅଟକ ରଖିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ