ବଲାଙ୍ଗୀର: ମହାମାରୀ କୋରୋନାରେ ପ୍ରଭାବିତ ହୋଇଥିବା ଅର୍ଥନୀତିର ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ଦେଶର ବନ୍ଦ ହୋଇଯାଇଥିବା ବିଭିନ୍ନ କଳ କାରଖାନାକୁ ଚାଲିବାର ନିଷ୍ପତ୍ତି ନେଇଛନ୍ତି । ହେଲେ ବଲାଙ୍ଗୀରର ଏକ ମାତ୍ର କୃଷି ଭିତ୍ତିକ କାରଖାନା ଚିନିକଳକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ଏହି ଚିନି କଳ ଯୋଗୁଁ ପାଞ୍ଚଟି ଜିଲ୍ଲାର ଦଶ ହଜାର ଚାଷୀ ଉପକୃତ ହୋଇପାରିବେ ।
ବଲାଙ୍ଗୀରର ଏକ ମାତ୍ର କୃଷି ଭିତ୍ତିକ କାରଖାନା ଚିନିକଳକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ବଲାଙ୍ଗୀର ଦେଓଗାଁ ଠାରେ ଥିବା ବିଜୟାନନ୍ଦ ଚିନି କଳ ଦୀର୍ଘ 2015 ରୁ ବନ୍ଦ ହୋଇରହିଛି । ଏହି ଚିନି କଳ ଉପରେ ସମବାୟ ବ୍ୟାଙ୍କର୍ 53 କୋଟି ଟଙ୍କା ବକେୟା ଥିବାବେଳେ 3 କୋଟିରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ବକେୟା ରହିଛି । ସେହିପରି ଏଠି ବ୍ୟାପକ ଅର୍ଥ ହେରଫେର ଅଭିଯୋଗରେ ଭିଜିଲାନ୍ସ ଓ କ୍ରାଇମ୍ ବ୍ରାଞ୍ଚ ମାମଲା ଥିବା ବେଳେ ରାଜନୈତିକ ପଶାପାଲିରେ ଏହି କାରଖାନା ପାଞ୍ଚ ବର୍ଷ ପୂର୍ବରୁ ବନ୍ଦ ହୋଇଛି । ଫଳରେ କେବିକେ ଜିଲ୍ଲା ସହ ପାଞ୍ଚଟି ଜିଲ୍ଲାର ଆଖୁ ଚାଷୀ ହଇରାଣ ହେବା ସହ ଆଖୁ ଚାଷ କରିବା ବନ୍ଦ କରିଛନ୍ତି। ସେପଟେ ଏହି ମୁହୂର୍ତ୍ତରେ ସରକାର ରାଜ୍ୟର ଅନ୍ୟ କଳ କାରଖାନା ମାନଙ୍କୁ ଚଳାଇବା ପାଇଁ ଧ୍ୟାନ ଦେଇଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି ବୋଲି ଅଭିଯୋଗ ହୋଇଛି । ସମାନ ଭାବରେ ପାଞ୍ଚଟି ଜିଲ୍ଲାର ଚାଷୀଙ୍କୁ ମଧ୍ୟ ଏହିପରି ଅଣଦେଖା କରିବାକୁ ସମସ୍ତେ ନାପସନ୍ଦ କରିଛନ୍ତି ।
କେନ୍ଦ୍ର ସରକାର ଏକ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଏମଏସଏମଇ ପାଇଁ ଅନୁଦାନ ଦେଇଛନ୍ତି । ସମାନ ଭାବରେ ରାଜ୍ୟ ସରକାର 17 ହଜାର କୋଟି ଟଙ୍କାର ବ୍ୟବବରାଦ କରି ଅର୍ଥନୀତିକୁ ସୁଦୃଢ଼ କରିବାର ତଥା ଚାକିରି ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି । ହେଲେ ବଲାଙ୍ଗୀର ଜିଲ୍ଲାର ଏକ ମାତ୍ର କୃଷି ଭିତ୍ତିକ ଏହି ଚିନିକଳକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି । ସେପଟେ ଏଠିକାର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ରାଜ୍ୟ ସରକାର ଚାହିଁଲେ ଏହି ଚିନିକଳକୁ ସେମାନେ ନିଜ ଉଦ୍ୟମରେ ଚଳାଇ ପାରିବେ ବୋଲି କହିଛନ୍ତି । ବଲାଙ୍ଗୀରର ଏହି ଚିନିକଳ କାର୍ଯ୍ୟକ୍ଷମ ହେଲେ ପାଞ୍ଚଟି ଜିଲ୍ଲାର ଦଶ ହଜାର ଚାଷୀ ଉପକୃତ ହେବେ । ତେଣୁ ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି ହୋଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ