ବଲାଙ୍ଗୀର: ଜିଲ୍ଲାରେ ଦେଖିବାକୁ ମିଳିଛି ଉଦଘାଟନୀ ରାଜନୀତି । ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ତାର ଶ୍ରେୟ ନେବାକୁ ନେତା ଓ ରାଜନୈତିକ ଦଳ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଅନେକ ସମୟରେ ପ୍ରକଳ୍ପ ଉଦଘାଟନକୁ ନେଇ ବିଜେପି ନେତା ଓ ବିଜେଡି ନେତା ମୁହାଁମୁହିଁ ହୋଇଥିବା ବେଳେ ଗୁଡ଼ଭେଳାରେ ନୂତନ ନିର୍ମିତ ବିଦ୍ୟୁତ ଗ୍ରୀଡ଼ ଉଦଘାଟନକୁ ନେଇ ପୁଣି ବିବାଦ ଦେଖାଦେଇଛି । କେନ୍ଦ୍ର ଅନୁଦାନ ଟଙ୍କାରେ ଏହି ଗ୍ରୀଡ଼ ନିର୍ମାଣ ହୋଇଥିଲେ ହେଁ ଉଦଘାଟନୀ ସଭାରେ ଲାଗିଥିବା ପୋଷ୍ଟର ବ୍ୟାନରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ନ ଲାଗିବା ନେଇ ବିଜେପି ସାଂସଦ ସଙ୍ଗୀତି କୁମାରୀ ସିଂହଦେଓ ପ୍ରଶ୍ନ ଉଠାଇଛନ୍ତି ।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଳା ବ୍ଲକଠାରେ ସୁ ବିଦ୍ୟୁତ ସରବରାହ ପାଇଁ ଦୀର୍ଘ ବର୍ଷରୁ ଏକ ଗ୍ରୀଡ଼ ଷ୍ଟେସନ ଦାବି ହୋଇ ଆସୁଥିଲା । ଯାହାପରେ 2015-16 ବର୍ଷରେ ଏଠାରେ ଏକ ଗ୍ରୀଡ଼ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଥିଲା । କେନ୍ଦ୍ର ସରକାରଙ୍କ କେବିକେ ଯୋଜନା ଅନ୍ତର୍ଗତ ଆରଏଲଟିଏପି ପାଣ୍ଠିରୁ 6 କୋଟି 88 ଲକ୍ଷ 536 ଟଙ୍କା ବ୍ୟୟରେ 33/11 କେଭିର ଏମଭିଏ ବିଦ୍ୟୁତ ଗ୍ରୀଡ଼ ନିର୍ମାଣ ଆରମ୍ଭ ହୋଇଥିଲା । ତେବେ କୌଣସି କାରଣରୁ ଏହା ନିର୍ମାଣ ପରେ ବନ୍ଦ ଥିଲାବେଳେ ବର୍ତ୍ତମାନ ଉଦଘାଟନ ହୋଇଛି । ତେବେ ଏହାର ଉଦଘାଟନ ଗତ 10 ତାରିଖରେ ହୋଇଥିଲା । ଯେଉଁଥିରେ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ଓ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପ୍ରମୁଖ ସଭାରେ ସାମିଲ ଥିଲେ । କେନ୍ଦ୍ର ଅନୁଦାନ ଟଙ୍କାରେ ଏହାର ନିର୍ମାଣ ହୋଇଥିବା ବେଳେ ସଭାରେ ଥିବା ପୋଷ୍ଟରବ୍ୟାନରରେ ପ୍ରଧାନମନ୍ତ୍ରୀ ମୋଦି କିମ୍ବା ସାଂସଦ ସଙ୍ଗୀତା ସିଂହଦେଓଙ୍କ ଫଟୋ ନ ଥିଲା । ଏହାକୁ ନେଇ ସାଂସଦ ଦୁଃଖ ପ୍ରକାଶ କରିବା ସହ ନିନ୍ଦା କରିଥିଲେ ।
ଏନେଇ ସେ କହିଥିଲେ, "ନିୟମ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା କଥା । ସଂଘୀୟ ଢାଞ୍ଚାରେ ରାଜ୍ୟ ଓ କେନ୍ଦ୍ରର ସମ୍ପର୍କ ଠିକ ରହିବା ଆବଶ୍ୟାକ । ତା ସାଙ୍ଗକୁ ଉଭୟ ଏହା ପାଇଁ ସମାନ ଶ୍ରେୟର ଅଧିକାରୀ ।" ହେଲେ ଏଥିରେ ସେଠି ଉପସ୍ଥିତ ମନ୍ତ୍ରୀ ଟୁକୁନି ସାହୁ ଫଟୋରେ କଣ ହେବ ବୋଲି ଉତ୍ତର ଦେଇଥିଲେ । କେନ୍ଦ୍ର ଟଙ୍କାରେ ଏହି ପ୍ରକଳ୍ପ ହୋଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଫୋଟୋ କିମ୍ବା ସାଂସଦଙ୍କ ଫୋଟୋ ନ ଥିବାର ପ୍ରଶ୍ନକୁ ସେ ଏଡାଇ ଦେଇଥିଲେ । ଏହି ଉଦଘାଟନ ରାଜନୀତି ଏବେ ଜିଲ୍ଲାରେ ଜୋର ଧରିଛି । ଶ୍ରେୟ ନେବା ପାଇଁ ଆଗେଇ ଆସୁଛନ୍ତି ରାଜନୈତିକ ଦଳ । ଯାହାକୁ ନେଇ ଏବେ ଜିଲ୍ଲାରେ ଏକ ନୂଆ ଉଦଘାଟନ ରାଜନୀତି ଆରମ୍ଭ ହୋଇଛି ।
ଇଟିଭି ଭାରତ, ବଲାଙ୍ଗୀର