ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ କାର୍ଯ୍ୟରତ ନର୍ସଙ୍କୁ ମାଡ ଘଟଣାରେ ଶନିବାର ସକାଳୁ ନର୍ସମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ଧାରଣା ଦେଇଥିଲେ । ଗତ ଦୁଇଦିନ ତଳେ ମହିଳା ଭେଷଜ ବିଭାଗରେ ଜଣେ ନର୍ସ ପ୍ରତିମା ପ୍ରଧାନଙ୍କୁ ଜଣେ ରୋଗୀଙ୍କ ଦୁଇ ସମ୍ପର୍କୀୟ ମରଣାନ୍ତକ ଆକ୍ରମଣ କରିବା ସହ ୱାର୍ଡରେ ବ୍ୟାପକ ଭଙ୍ଗା ରୁଜା କରିଥିଲେ । ଆକ୍ରମଣରେ ନର୍ସ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ତେବେ ଏହି ଘଟଣାକୁ କେନ୍ଦ୍ର କରି ନର୍ସମାନେ ଦୁଇ ଦିନ ହେଲା ଆନ୍ଦୋଳନ କରି ଆସୁଥିଲେ।
ତେବେ ପୋଲିସର ନିଷ୍କ୍ରିୟତାକୁ ନେଇ ନର୍ସମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରିବା ସହ ନର୍ସମାନଙ୍କୁ ସୁରକ୍ଷା ଦେବାକୁ ଦାବି କରିଥିଲେ । ନର୍ସଙ୍କ ଆନ୍ଦୋଳନ ଯୋଗୁଁ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହେବା ସହ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଯାହାକୁ ନେଇ ନର୍ସ ଓ ରୋଗୀଙ୍କ ସମ୍ପର୍କୀୟମାନେ ଶନିବାର ମୁହଁମୁହିଁ ମଧ୍ୟ ହୋଇଥିଲେ।
ଏନେଇ ବଲାଙ୍ଗୀର ଜିଲ୍ଲାପାଳ ଓ ଏସପି ନର୍ସମାନଙ୍କ ସହ ଆଲୋଚନ କରିଥିଲେ । ଅଭିଯୁକ୍ତଙ୍କୁ ସାତ ଦିନ ମଧ୍ୟରେ ଗିରଫର ପ୍ରତିଶୃତି ଦେବା ସହ ଡାକ୍ତରଖାନାରେ ଏକ ପ୍ଲାଟୁନ ପୋଲସ ମୁତୟନ କରାଯିବ ବୋଲି କହିବା ପରେ ନର୍ସମାନେ ଆନ୍ଦୋଳନରୁ ଓହରି ଥିଲେ।
ବଲାଙ୍ଗୀରରୁ ଏସକେ ମହମ୍ମହ ଓ୍ବାହିଦ, ଇଟିଭି ଭାରତ