ବଲାଙ୍ଗିର: ମାଆ କୋଳକୁ ଫେରିଲା ଚୋରୀ ନବଜାତକ । ପାଟଣାଗଡ ଡାକ୍ତରଖାନାରୁ ଚୋରି ହୋଇଥିବା ନବଜାତ ଶିଶୁ ଶନିବାର ମାଆ କୋଳକୁ ଫେରିଛି । ଆଉ ଏହା ସଫଳ ହୋଇପାରିଛି ଜିଲ୍ଲା ପୋଲିସର ତତ୍ପରତା କାରଣରୁ ।
ତେବେ ପାଟଣାଗଡ ଡାକ୍ତରଖାନାରେ ମାଆ ଓ ଶିଶୁ ଏକା ଥିବାବେଳେ ଜଣେ ଅଜଣା ମହିଳା ଉକ୍ତ ଶିଶୁ ସହ ଖେଳିବା ବାହାନାରେ ତାକୁ ଧରି ଚମ୍ପଟ ମାରିଥିଲା । ଯାହାପାରେ ପୋଲିସ୍ ବଲାଙ୍ଗିର ସିନ୍ଧେକେଲା ଅଞ୍ଚଳରୁ ଶିଶୁକୁ ଉଦ୍ଧାର କରିବା ସହ ମାଆ ବାପାଙ୍କୁ ଶିଶୁ ପୁତ୍ରକୁ ହସ୍ତାନ୍ତର କରିଛି । ଅନ୍ୟପଟେ ଶିଶୁର ଅବସ୍ଥା ଗୁରୁତର ଥିବାବେଳେ ବର୍ତ୍ତମାନ ଶିଶୁକୁ ବଲାଙ୍ଗିର ମେଡିକାଲ କଲେଜ ମା ଓ ଶିଶୁ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଛି ।
ଉକ୍ତ ଶିଶୁ ଚୋରି ଅଭିଯୋଗରେ ପୋଲିସ ଜଣେ ମହିଳା ଓ ତାଙ୍କ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ ଚଲାଇଛି । ସୂଚନା ଅନୁସାରେ ଗତ ତିନ ତାରିଖରେ ବଲାଙ୍ଗିର ରେଙ୍ଗାଲି ଗ୍ରାମର ରୁଦ୍ର ତାଣ୍ଡି ତାଙ୍କ ସ୍ତ୍ରୀ ଜୟନ୍ତୀ ତାଣ୍ଡିଙ୍କୁ ପ୍ରସୂତି ପାଇଁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅସ୍ତ୍ରୋପଚାର ପରେ ତାଙ୍କୁ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ଶିଶୁ ପୁତ୍ରକୁ ଚାରି ଦିନ ହେଉଥିବା ବେଳେ ଜଣେ ଅଜଣା ମହିଳା କୌଶଳକ୍ରମେ ଶିଶୁକୁ ଚୋରି କରି ଛୁ ହୋଇଯାଇଥିଲେ । ଯାହାପରେ ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା ।
ସେପଟେ ଏହି ମାମଲାରେ ପୋଲିସ୍ ଏକ ସ୍ଵତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଆଉ ଶେଷରେ ଆଜି(ଶନିବାର) ବଲାଙ୍ଗିର ସିନ୍ଧେକେଲା ଥାନା ଅନ୍ତର୍ଗତ ଗଡ ସାରା ଗ୍ରାମରୁ ଚୋରି ହୋଇଥିବା ଶିଶୁକୁ ଉଦ୍ଧାର କରିଥିଲା । ଏହାସହ ଶିଶୁ ଚୋରି ଘଟଣାରେ ଦୁଇ ଜଣ ସ୍ଵାମୀ-ସ୍ତ୍ରୀଙ୍କୁ ଗିରଫ ମଧ୍ୟ କରିଛି ପୋଲିସ୍ ।
ସୂଚନା ଅନୁସାରେ, ଶିଶୁକୁ ଚୋରି କରିଥିବା ଅଭିଯୁକ୍ତ ସ୍ଵାମୀ ସୁଖ୍ ଦେବ୍ ସାହୁ ଓ ସ୍ତ୍ରୀ ସବିତା ସାହୁ ବୋଲି ଜଣା ପଡିଛି । ଏମାନେ ଏକ ପୁତ୍ର ସନ୍ତାନ ପାଇଁ ଏହି କାଣ୍ଡ ଭିଆଇ ଥିବାର ପୋଲିସ୍ କହିଛି । ତେବେ ଅଭିଯୁକ୍ତ ଦୁଇଜଣ କଳାହାଣ୍ଡି ଜିଲ୍ଲା କେ ଗାଁର । ଏମାନେ ଶିଶୁ ପୁତ୍ରକୁ ଚୋରି କରି ସିନ୍ଧେକେଲା ଗଡ ସାରାରେ ନିଜ ଶ୍ଵଶୁର ଘରେ ଲୁଚାଇଥିଲେ । ଯେଉଁଠାରୁ ପୋଲିସ୍ ଉକ୍ତ ଶିଶୁକୁ ଉଦ୍ଧାର କରିଥିଲା ।
ବଲାଙ୍ଗିରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ନ୍ୟୁଜ୍