ବଲାଙ୍ଗୀର: ବଲାଙ୍ଗୀର ନବ ନିର୍ବାଚିତ ପୌର ପରିଷଦ ଅଧ୍ୟକ୍ଷା ଦାୟିତ୍ଵ ନେବା ପରେ ଏବେ ଆକ୍ସନ ମୋଡରେ ଲିକା ସାହୁ । ସେ ବଲାଙ୍ଗୀର ସହରର ସବୁ ୱାର୍ଡ ପରିଦର୍ଶନ ଆରମ୍ଭ କରିଛନ୍ତି । ଏଥିସହିତ ସିଧାସଳଖ ଲୋକଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିଛନ୍ତି । ସମାନ ଭାବରେ ନବ ନିର୍ବାଚିତ କାଉନସିଲର ମାନେ ମଧ୍ୟ ୱାର୍ଡ଼ର ବିଭିନ୍ନ ସମସ୍ୟା ସହିତ ଅବଗତ ହୋଇ ତା’ର ସମାଧାନ ପାଇଁ ଆଗକୁ ଆସିଛନ୍ତି । ପୌର ପରିଷଦର ଅଧ୍ୟକ୍ଷା ଓ କାଉନସିଲର ମାନେ ଏକ ସମୀକ୍ଷା ବୈଠକ କରିଥିଲେ । ଯେଉଁଥିରେ ବଲାଙ୍ଗୀରର କ୍ଷୁଦ୍ର ଜଳ ସେଚନ, ଜିଲ୍ଲା ଶିକ୍ଷା ଅଧିକାରୀ, ବିଦ୍ୟୁତ୍ ବିଭାଗ, ଜନସ୍ବାସ୍ଥ୍ୟ ବିଭାଗକୁ ଏଥିରେ ସାମିଲ କରାଯାଇଥିଲା ।
ତେବେ ସହର ମଧ୍ୟରେ ସବୁଠି ପିଇବା ପାଣିର ଘୋର ସମସ୍ୟା ଥିବା ବେଳେ ତା’କୁ ଦଶ ଦିନ ମଧ୍ୟରେ ଠିକ କରିବାକୁ ଏମାନେ ଜନସ୍ବାସ୍ଥ୍ୟ ବିଭାଗକୁ ତାଗିଦ୍ କରିଛନ୍ତି । ସେହିପରି ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ପୌର ପରିଷଦ ଏହି ସମସ୍ୟାକୁ ଶୀଘ୍ର ସମାଧାନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛି । ଏହାଛଡ଼ା ସହର ମଧ୍ୟରେ ଥିବା ଅନ୍ୟ ସମସ୍ୟାକୁ ମଧ୍ୟ ଶୀଘ୍ର ସମାଧାନ କରିବାକୁ ଏଠି ପ୍ରସ୍ତାବ ନିଆଯାଇଛି ।
ଅନ୍ୟପଟେ ବିଜେଡିର ବରିଷ୍ଠ ନେତା ତଥା ବଲାଙ୍ଗୀର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ତାଙ୍କ ଦଳ ଏଥର ବହୁମତର କାଉନସିଲ ଗଢିଥିବା ବେଳେ ଲୋକଙ୍କ ଆସ୍ଥାକୁ ସେମାନେ ସମ୍ମାନ ଦେବେ ବୋଲି କହିଛନ୍ତି । ଆଗକୁ ବଲାଙ୍ଗୀର ସହରର ଛୋଟ ବଡ଼ ସମସ୍ୟା ଶୀଘ୍ର ସମାଧାନ କରାଯିବ ଓ ଲୋକଙ୍କ ହିତ ପାଇଁ କାଉନସିଲ କାମ କରିବ ବୋଲି ସେ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ