ବଲାଙ୍ଗୀର: ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଚାଷୀ ସୋମବାର ଆନ୍ଦୋଳନ କରୁଥିବା ବେଳେ ତାଙ୍କ ସହ ଆଲୋଚନା କରିବାକୁ ଆସିଥିବା ତହସିଲଦାରଙ୍କୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ବଲାଙ୍ଗୀର ଦେଓଗାଁ ପେକ୍ସର ଚାଷୀ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଥିବା ବେଳେ ସେମାନେ ଧାନ ବିକ୍ରି କରି ପାରୁ ନାହାଁନ୍ତି।
ଯାହାଫଳରେ ଅଞ୍ଚଳର ଶତାଧିକ ଚାଷୀ ସୋମବାର ଟ୍ରାକ୍ଟରରେ ଧାନ ବୋଝେଇ କରି ଦେଓଗାଁ ଠାରେ 26 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଏବଂ ତାଙ୍କ ଧାନ ଶୀଘ୍ର କିଣା ଯିବାର ଦାବି କରିଥିଲେ।
ତେବେ ଏହି ସମୟରେ ଦେଓଗାଁ ତହସିଲଦାର ଚନ୍ଦ୍ରମଣି ନାଗ ଚାଷୀଙ୍କ ସହ ଆଲୋଚନା କରୁଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହେବା ସହ ତାଙ୍କୁ ମାଡ଼ ମରାଯାଇଥିବାର ସେ ଲିଖିତ ଭାବରେ ଦେଓଗାଁ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଦେଓଗାଁ ପୋଲିସ ଏହି ମାମଲା ତଦନ୍ତ ଆରମ୍ଭ କରିଥିବା ବେଳେ ଏଯାଏଁ କାହାରିକୁ ଗିରଫ କରିନାହିଁ ବୋଲି ଜଣାପଡିଛି।
ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ