ବଲାଙ୍ଗୀର: ବଲାଙ୍ଗୀର ଟିଟିଲାଗଡରୁ ନକଲି ନୋଟ ଜବତ । 31ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି ଭୁବନେଶ୍ୱର କ୍ରାଇମ୍ ବ୍ରାଞ୍ଚ ଏସ ଟି ଏଫ୍ । ଏହି ମାମଲାରେ ଜଣକୁ ଗିରଫ କରି ଟିଟିଲାଗଡ SDJM କୋର୍ଟକୁ ଚାଲାଣ କରିଛି କ୍ରାଇମ୍ ବ୍ରାଞ୍ଚ । ଟିଟିଲାଗଡ ସହର ମଧ୍ୟରେ ଥିବା ଆଇ ଲଭ ପାର୍କ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ଭୁବନେଶ୍ୱର STF ପକ୍ଷରୁ 31 ଲକ୍ଷ 27 ହଜାର ଟଙ୍କା ପାଞ୍ଚ ଶହ ଟଙ୍କା ଜବତ କରା ଯାଇଥିବାର ଜଣା ପଡ଼ିଛି ।
STF ପକ୍ଷରୁ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କେ ଗାଁ ଥାନା ଅନ୍ତର୍ଗତ କଣ୍ଟାମାଲ ଗ୍ରାମର ଲିଙ୍ଗରାଜ ବେହେରା ଟିଟିଲାଗଡ଼ଠାରେ ନକଲି ନୋଟ ଅନ୍ୟ ଜଣଙ୍କୁ ହସ୍ତାନ୍ତର କରିବା ପାଇଁ ଜଗିଥିଲେ । ଏହାର ପୂର୍ବରୁ ସୂଚନା ପାଇ STF ଦଳ ଛକି ବସି ଅଭିଯୁକ୍ତକୁ ଧରିଥିଲେ । ଅଭିଯୁକ୍ତକୁ ଗୋପନୀୟ ସ୍ଥାନରେ ଅଟକ ରଖି STF ଦଳ ପଚରାଉଚୁରା କରିବା ପରେ ଆଜି(ଶୁକ୍ରବାର) କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାକୁ ନେଇ ଟିଟିଲାଗଡ଼ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ଖେଳି ଯାଇଛି ।
ସେହିପରି ପୂର୍ବରୁ ନିୟମିତ ଅନ୍ତରରେ ସହରର ବିଭିନ୍ନ ବ୍ୟାଙ୍କରେ ନକଲି ନୋଟ ଧରା ପଡୁଥିବା ବେଳେ ଏତେ ମାତ୍ରାରେ ନକଲି ନୋଟ ସହ ଅଭିଯୁକ୍ତ କୁ STF ଧରିବା ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ସଂପୃକ୍ତ ଅଭିଯୁକ୍ତ କେଉଁଠୁ ଏତେ ପରିମାଣର ନକଲି ନୋଟ ଆଣିଥିଲା ଓ କାହାକୁ ସେ ଏହି ନୋଟ ଦେଇଥାନ୍ତା ତାହା ଏବେ ବଡ ପ୍ରଶ୍ନ ହୋଇଛି। ତେବେ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ନକଲି ନୋଟ କାରବାର ନୂଆ ନଥିବା ବେଳେ ଅପରାଧୀ ମାନେ ଏହାକୁ ଗ୍ରାମାଞ୍ଚଳରେ ବିଶେଷ କରି ବାଣ୍ଟିଥାନ୍ତି । ସେପଟେ STF ଏ ଦିଗରେ କଣ ତଦନ୍ତ କରୁଛି ଓ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ କି ନାହିଁ ତାହା ଏ ଯାଏଁ ସ୍ପଷ୍ଟ ହୋଇ ପାରିନାହିଁ। ସେହିପରି ଏତେ ବଡ ନକଲି ନୋଟ ଡିଲ ବିଷୟରେ ବଲାଙ୍ଗୀର ପୋଲିସ୍ କେମିତି ଜାଣି ପାରିଲା ନାହିଁ ତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଙ୍କି ମାରୁଛି।
ଇଟିଭି ଭାରତ, ଭୁବନେଶ୍ବର