ବଲାଙ୍ଗୀର: କୋହଲା ପାଗ ହେଲା କାଳ । ପିକନିକ ସାରି ଫେରୁଥିବା ବେଳେ ବଲାଙ୍ଗୀର ଖୋର୍ଦ୍ଧା ଜାତୀୟ ୫୭ରେ ସଡ଼କ ଦୁର୍ଘଟଣା (ROAD ACCIDENT)। ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ବଲାଙ୍ଗୀର ସଦର ବ୍ଲକ ଅଞ୍ଚଳର ବିଦିଘାଟ, ଚିକଳ ବାହଲ ଓ ଚଣ୍ଟିମୁଣ୍ଡା ଗ୍ରାମର ଆଠ ଜଣ କଲେଜ ବନ୍ଧୁ ଗତ ସୋମବାର ଦିନ ସୁନ୍ଦରଗଡ଼ ଜିଲ୍ଲା ଖଣ୍ଡାଧାରକୁ (KHANDADHARA) ବ୍ୟାଚ ପିକନିକ କରି ଫେରୁଥିବା ବେଳେ ବଲାଙ୍ଗୀର ଖୋର୍ଦ୍ଧା ଜାତୀୟ 57 ନମ୍ବର ଜାତୀୟ ରାଜପଥ ରଣ୍ଡାଗ୍ରାମ ଠାରେ ତାଙ୍କ ବୋଲେରୋକୁ ଏକ ଟ୍ରକ ସାମ୍ନାରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।
ମୃତକମାନେ ଚିକଳବାହଲ ଗ୍ରାମର ଘନଶ୍ୟାମ ହାତୀ, ବିଦୀଘାଟ ଭଗବାନ ନାଗ ଓ ଚାନ୍ତିମୁଣ୍ଡାର ଅଭିଷେକ ଭୁଏ ବୋଲି ଜଣାପଡିଛି । ସେହିପରି ଏହି ଦୁର୍ଘଟଣାରେ ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ବୁର୍ଲା ଡ଼ାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ସେପଟେ ଏହି ଘଟଣା ପରେ ବଲାଙ୍ଗୀର ପୁଇନ୍ତଳା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଧରିବା ପାଇଁ ତନାଘନା ଜାରି ରଖିଛି ପୋଲିସ । ଅନ୍ୟପଟେ ଯୁବକଙ୍କ ମୃତ୍ୟୁ ଖବରରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଗ୍ରାମବାସୀ ମୃତାହତଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ