ବଲାଙ୍ଗୀର : ବଙ୍ଗୋମୁଣ୍ଡା ଥାନା ମାଲପଡା ଗାଁରେ ପ୍ରଜାକୋର୍ଟରେ ଯୁବକକୁ ଖୁଣ୍ଟରେ ବାନ୍ଧି ମାଡ଼ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଏହି ଘଟଣାରେ 8 ଗ୍ରାମବାସୀଙ୍କୁ ଗିରଫ କରିଛି ।
ବଙ୍ଗୋମୁଣ୍ଡା ଥାନା ମାଲପଡା ଗାଁରେ ବିଳମ୍ବିତ ରାତିରେ ପ୍ରଜାକୋର୍ଟ କରାଯାଇ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ବଡ଼ଗମଡା ଗାଁର ଜଗା ଭୋଇ ନିକଟସ୍ଥ ଗାଁ ମାଲପଡାକୁ ରାତିରେ ଦଣ୍ଡନୃତ୍ୟ ଦେଖିବା ପାଇଁ ଯାଇଥିଲା । ସେହି ସମୟରେ କୌଣସି କାରଣକୁ ନେଇ ଗାଁ ଲୋକଙ୍କର ଜଗାଙ୍କ ସହ ଝଗଡା ହୋଇଥିଲା । ତେବେ ଗାଁ ଲୋକ ଏଥିରେ ଏକଜୁଟ ହୋଇ ଜଗାକୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଥିଲେ । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଛି । ତେବେ ମାଡ଼ ଖାଇଥିବ ସଂପୃକ୍ତ ଯୁବକକୁ ରାତିରେ ପୋଲିସ ଉଦ୍ଧାର କରିଥିଲା ।
ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଚିକିତ୍ସିତ କରାଯାଇଛି । ସେପଟେ ଏହି ଘଟଣା ପରେ ମାଡ଼ ଖାଇଥିବ ଯୁବକର ପରିବାର ବର୍ଗ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତୁରନ୍ତ ପଦକ୍ଷେପ ନେଇ ଗ୍ରାମର ୮ ଜଣକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ଏଭଳି ଘଟଣା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ପ୍ରଥମ ହୋଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ବଲାଙ୍ଗୀରରୁ ସେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ