ବଲାଙ୍ଗୀର: ଜୀବିତ ସମୟରେ ନହେଲା ନାହିଁ, ମୃତ୍ୟୁ ପରେ ମଧ୍ୟ ମିଳିଲାନି ଟିକେ ସମ୍ମାନ । ଜଣେ ମାନସିକ ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ କେହି ତାଙ୍କ ପାଖ ମାଡିଲେନି କି ମୃତଦେହ ସତ୍କାର କଲେନି । ଶେଷରେ ଏକ ସ୍ଵେଚ୍ଛାସେବୀ ସଂଗଠନ ଶେଷ କୃତ୍ୟ କରିଛି ।
ସୂଚନା ମୁତାବକ, ବଲାଙ୍ଗୀର ସହର ମଧ୍ୟରେ ଜଣେ ଅଜଣା ମାନସିକ ରୋଗୀ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ମୁଣ୍ଡରେ କୌଣସି କାରଣରୁ କ୍ଷତ ହୋଇଥିବା ବେଳେ ଚିକିତ୍ସା ଅଭାବରୁ ପୋକ ହୋଇଯାଇଥିଲେ। ଏବଂ ଏଭଳି ଗୁରୁତର ଅବସ୍ଥାରେ ସେ ସହରରେ ପଡ଼ି ରହିଥିବା ବେଳେ ଶେଷରେ ବଲାଙ୍ଗୀର ‘‘ବିଙ୍ଗ ହ୍ୟୁମାନ’’ ସ୍ବେଚ୍ଛାସେବୀ ସଂଗଠନ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ ।
କିଛି ମାସ ତଳେ ସେ ସୁସ୍ଥ ହେବାରୁ ବଲାଙ୍ଗୀର ସିନ୍ଦୂର ବାହାଲ ଗ୍ରାମରେ ଯାଇ ରହି ଆସୁଥିଲେ । ତେବେ ସେ ଜଣେ ମାନସିକ ରୋଗୀ ହୋଇଥିବାରୁ ଏହି ସଂଗଠନ ନିଜ ଉଦ୍ୟମରେ ତାଙ୍କର ଦେଖାଶୁଣା କରିଆସୁଥିଲା ।
ହେଲେ ଆଜି(ଗୁରୁବାର) ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପୂର୍ବରୁ ପ୍ରଶାସନ କିମ୍ବା ଲୋକ କେହି ତାଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇ ନଥିବା ବେଳେ ଆଜି ମୃତ୍ୟୁ ପରେ ମଧ୍ୟ ତାଙ୍କୁ ସାହାଯ୍ୟ ମିଳିପାରି ନଥିଲା । ଶେଷରେ ପୁଣି ଏହି ସ୍ବେଚ୍ଛାସେବୀ ସଂଗଠନ ତାଙ୍କୁ ସମ୍ମାନର ସହ ଅନ୍ତିମ ସଂସ୍କାର କରିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ