ଅନୁଗୋଳ: କଞ୍ଚା ବାଉଁଶରେ କଳାକୃତି । ତାହା ପୁଣି ବୀର ଶହୀଦ ଯବାନଙ୍କ। ଅବିକଳ ପ୍ରତିଛବି ସବୁକୁ ବାଉଁଶରେ ଆଙ୍କି ତାକୁ ପୂଜା କରୁଛନ୍ତି ଯୁବ କଳାକାର । ନିଜେ ସେନା ବାହିନୀ ରେ ନିଯୁକ୍ତି ହୋଇପାରିଲେନି ସିନା ଦେଶ ମାତୃକାର ସୁରକ୍ଷା ପାଇଁ ଅହରହ ପ୍ରହରା ଦେଉଥିବା ସତର୍କ ପ୍ରହରୀଙ୍କୁ ଭଲପାଉଛନ୍ତି ସେ। ଏଥିଲାଗି ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନଙ୍କ ଛବିକୁ ନିଜ କଳାରେ ସ୍ଥାନ ଦେଇ କରୁଛନ୍ତି ପୂଜା । ଚିତ୍ରକଳା ମଧ୍ୟରେ ଦେଶ ମାତୃକାକୁ ଭଲ ପାଉଥିବା ଏହି ପ୍ରତିଭାଶାଳୀ କଳାକାର ହେଲେ ଅନୁଗୋଳ ଗଡ଼ସନ୍ତ୍ରୀ ପଞ୍ଚାୟତ ଗାଙ୍ଗୀଯୋଡି ଗାଁର ରଜତ ରଞ୍ଜନ ନାଥ ।
ଗତ ବର୍ଷ ଜୁନ ମାସରେ ହୋଇଥିବା ଗଲୱାନା ଘାଟି ଆକ୍ରମଣ ଘଟଣାର ଶହୀଦ ବୀର ଯବାନଙ୍କ କଞ୍ଚା ବାଉଁଶରେ ଅବିକଳ ଆଙ୍କିଛନ୍ତି ରଜତ । ଦେଶ ମାତୃକାକୁ ଭଲ ପାଇ ଦେଶବାସୀ ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସହୀଦ ଯବାନଙ୍କୁ ନିଜ କଳାକୃତି ଜରିଆରେ ସେ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି।
ପିଲାଟି ଦିନରୁ ରଜତଙ୍କ ଇଛା ଥିଲା ସେନା ବାହିନୀ ରେ ନିଯୁକ୍ତି ପାଇଁ। ଏଥିପାଇଁ ସେ ସେନା ବହିନୀ ଯବାନ ମାନଙ୍କୁ ନିଜର ଆଦର୍ଶ ଭାବି ନେଇଛନ୍ତି। ନିଜେ ଜାଣିଥିବା କଳାକୃତି ସବୁରେ ସେ ଯବାନ ମାନଙ୍କ ଚିତ୍ର ଆଙ୍କି ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି।
ପିଲାଟି ଦିନରୁ ରଜତଙ୍କ କଳାପ୍ରତି ଥିଲା ଅହେତୁକ ଆଗ୍ରହ । ବିକେ ଆର୍ଟ କଲେଜରୁ ସ୍ନାତକ ଓ ବାଣୀବିହାର ୟୁନିଭର୍ସିଟିରୁ ସ୍ନାତକୋତ୍ତର ହାସଲ କରିଛନ୍ତି ସେ । ଖାଲି ବାଉଁଶ କାହିଁକ ମାଟି ଓ ଫାଇବାର ରେ ସେ ନିଜ କଳାକୃତି ର ନିଖୁଣ ପରାକାଷ୍ଠା ମଧ୍ୟ ପଦର୍ଶନ କରିଛନ୍ତି । ସେ ଯେଉଁ ଚିତ୍ର ଆଙ୍କିଲେ ବି , ସେଥିରେ ସେ ବୀର ଯବାନକୁ ଦେଇଥାନ୍ତି ସ୍ଥାନ ।
ମନର ଅବଶୋଷ , ପରିକଳ୍ପନାକୁ ଚିତ୍ର ମାଧ୍ୟମରେ ଜୀବନ୍ତ କରୁଥିବା ନିଖୁଣ ଶିଳ୍ପୀ ହେଉଛନ୍ତି ରଜତ । ମାଟି ମା ପ୍ରତି ତାଙ୍କ ଭଲପାଇବା ତାଙ୍କର ଚିତ୍ରରେ ବାରି ହୋଇପଡୁଛି । ଏଭଳି ସୁନ୍ଦର , ଅନନ୍ୟ ଚିତ୍ର ଓ କାରୁକାର୍ଯ୍ୟ ମାଧ୍ୟମରେ ସେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣନ୍ତୁ ଏହା ବିଁ ଆମ କାମନା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ