ଅନୁଗୋଳ: ବନ ବିଭାଗକୁ ଘାରିଛି ବନ୍ୟଜନ୍ତୁଙ୍କ ଚିନ୍ତା । କିପରି ସୁରକ୍ଷିତ ରହିବେ ବନ୍ୟଜନ୍ତୁ ଏବଂ କିଭଳି ସେମାନଙ୍କୁ ସୁରକ୍ଷା ଯୋଗାଇହେବ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ବନ୍ୟଜନ୍ତୁ ଅଧିକାରୀ । ଗୁରୁବାର ଅନୁଗୋଳ ବନରାଜିକ ମହାବିଦ୍ୟାଳୟ ପରିସରରେ ୬୫ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି । ଆୟୋଜିତ ବନ୍ୟପ୍ରାଣୀ ସପ୍ତାହ ଉତ୍ସବରେ ଅନୁଗୋଳ ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ବଦଳୁଥିବା ପରିବେଶ ସହ ବନ୍ୟଜନ୍ତୁଙ୍କ ବଂଶ ଲୋକ ପାଇବାରେ ଲାଗିଛି । ବିକାଶ ନାଁରେ ଯେଉଁଭଳି ଭାବେ ପ୍ରକୃତିର ଅବକ୍ଷୟ କରାଯାଉଛି ତା' ଉପରେ ରୋକ ଲଗାଇବାକୁ ସମୟ ଆସିଯାଇଛି ବୋଲି କହିଛନ୍ତି ଅନୁଗୋଳ ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ । ଏହିକ୍ରମରେ ସେ ସମସ୍ତଙ୍କୁ ବନ୍ୟ ଜନ୍ତୁଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ସେ ଆହ୍ବାନ କରିଛନ୍ତି । ଏଥିସହିତ ବନ୍ୟଜନ୍ତୁଙ୍କ ଉପକାରିତା ଓ ଉପଯୋଗୀ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ । ତେବେ ନିଜେ ବଞ୍ଚିବା ଓ ଅନ୍ୟକୁ ବଞ୍ଚିବାକୁ ଦେବା ଶପଥ ନେବାକୁ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ସମସ୍ତ ଡ଼ିଏଫଓଙ୍କ ସମେତ ଅନୁଗୋଳ ଏସପି ଜଗମୋହନ ମିନା ଯୋଗ ଦେଇଥିଲେ । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟର ପ୍ରଶିକ୍ଷାର୍ଥୀ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ।
ଏଥିରେ ବନ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବନ ସଂରକ୍ଷଣ ସମିତିକୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ