ଅନୁଗୋଳ: ଆମ ଜମି ନେଇଯାଅ, ଆମକୁ ବିସ୍ଥାପିତ କର । କୋଇଲା ଖଣି ପ୍ରସ୍ତାବିତ ଗ୍ରାମରେ କୌଣସି ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନାହିଁ । ଫଳରେ ହୀନସ୍ଥାରେ ବଞ୍ଚିବାକୁ ପଡୁଛି, ତେଣୁ ଆମକୁ ତୁରନ୍ତ ବିସ୍ଥାପିତ କରାଯାଉ । ଏଭଳି ଦାବି କରି ଅନୁଗୋଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ ତିନୋଟି ଗ୍ରାମର ଚାରିଶହରୁ ଅଧିକ ଲୋକେ। ଗୋଟିଏ ଦାବି ଆମକୁ ତୁରନ୍ତ ବିସ୍ଥାପିତ କର ।
ବିସ୍ଥାପନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ମେଳି । ଅନୁଗୋଳ ଜିଲ୍ଲା ରାଇ ଝରଣ ପଞ୍ଚାୟତ ଗୋଚ୍ଛାୟତ୍ତ ସାହି, ହରିଜନ ସାହି ଓ ଶିତିରା ସାହିର ଲୋକ ମାନେ ଏକାଠି ହୋଇ ଜିଲ୍ଲାପାଳଙ୍କ ନିକଟରେ ନିଜ ଦାବି ରଖିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ତିନୋଟି ଯାକ ଗ୍ରାମ ଉତ୍କଳ B1ଓ C କୋଲ ବ୍ଳକ ଅଧୀନରେ ଯାଉଛି । ଯେଉଁ ସବୁ ବ୍ଳକ ଜିନ୍ଦଲ କମ୍ପାନୀକୁ ଦିଆଯାଇଛି । ଏହି ସବୁ ଅଞ୍ଚଳ କୋଲ ବ୍ଳକ ଅଧୀନରେ ଥିବାରୁ, ଏଠାରେ କୌଣସି ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟ ହେଉନାହିଁ । ରାଜ୍ୟ ସରକାରଙ୍କ ଯୋଜନା ଏଠାରେ କାର୍ଯ୍ୟକାରୀ ହେଉନାହିଁ । ଫଳରେ ଏହି ତିନି ସାହିର ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ତେବେ ଜିନ୍ଦଲ କମ୍ପାନୀ B1 ବ୍ଳକର କୌଣସି ଲୋକଙ୍କ ସହ ଆଲୋଚନା ନ କରି ପ୍ରଥମେ C ବ୍ଳକରୁ କାମ ଆରମ୍ଭ କରିବାକୁ ଯାଉଛି । ଫଳରେ C ବ୍ଳକ ଅଧିନରେ ରହୁଥିବା ଲୋକେ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ବିସ୍ଥାପିତ କରାଯାଉ ବୋଲି ଦାବି କରିଛନ୍ତି । କମ୍ପାନୀ ଉଚିତ କ୍ଷତିପୂରଣ ଦେଇ ତାଙ୍କୁ ବିସ୍ଥାପିତ କରୁ ବୋଲି ଜିଲାପାଳଙ୍କ ନିକଟରେ ଲିଖିତ ଭାବେ ଦାବି କରିଛନ୍ତି ଗ୍ରାମବାସୀ । ଏହା ବ୍ୟତୀତ 4 ଦଫା ସମ୍ବଳିତ ଦାବିପତ୍ର ମଧ୍ୟ ଜିଲାପାଳଙ୍କୁ ଭେଟି ସମାଧାନ କରିବାକୁ ଗୁହାରି କରିଛନ୍ତି । ଏନେଇ ଗ୍ରାମବାସୀ କହିଛନ୍ତି, " କୋଲ ବ୍ଳକ ଅଧୀନରେ ଗ୍ରାମଟି ଥିବାରୁ ସରକାରୀ ସ୍ତରରେ କୌଣସି ସହାୟତା ମିଳୁନାହିଁ । ଆବାସ ଯୋଜନା, ରାସନ କାର୍ଡ ଭଳି ବିଭିନ୍ନ ମୌଳିକ ସୁବିଧାରୁ ମଧ୍ୟ ଲୋକେ ବାଦ ପଡୁଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଆମକୁ ବିସ୍ଥପିତ କରାଯାଉ ।" ତେବେ ବିସ୍ଥାପିତ ପାଇଁ ଦାବି କରିବାକୁ ଆସିଥିବା ଲୋକଙ୍କ ସହିତ କିଛି ଜିନ୍ଦଲ କମ୍ପାନୀର କର୍ମଚାରୀ ମଧ୍ୟ ରହିଥିଲେ । ଅନ୍ୟପଟେ ଗାଁ ମେଳି କମ୍ପାନୀର ଇସାରାରେ ହେଉଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି ।
ଇଟିଭି ଭାରତ, ଅନୁଗୋଳ