ଅନୁଗୋଳ: ଭାଲୁ ପରେ ହାତୀ ଆଉ ଏବେ ବାରହା ଆକ୍ରମଣ ଅଭିଯୋଗ । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ସାଲୁଇଖମଣ ଗାଁରେ ବାରାହା ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏହାକୁ ନେଇ ଗ୍ରାମବାସୀମାନେ ଆହତ ହେବା ସହ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ସୂଚନା ଅନୁସାରେ, ଏକ ବାରହା ନିକଟସ୍ଥ ଜଙ୍ଗଲରୁ ସାଲୁଇଖମଣ ଗାଁ ଭିତରକୁ ପଶି ଆସିଥିଲା । ବାରହାକୁ ଦେଖି ଗ୍ରାମବାସୀମାନେ ପାଟି କରିବାରୁ ବାରାହାଟି ଏଣେ ତେଣେ ଦଉଡି ଥିଲା । ସେହି ସମୟରେ ସେହି ଗ୍ରାମର ତ୍ରିଲୋଚନ ନାମକ ବ୍ୟକ୍ତିଙ୍କୁ ବାରହା ଆକ୍ରମଣ କରିଥିଲା । ସେ ଭୟରେ ପୋଖରୀକୁ ଡେଇଁ ପଡିଥିଲେ ।
ସେହିପରି ଘର ଅଗଣାରେ ଝୁନାରାଣି ସାହୁ ବାସନ ମାଜୁଥିବାବେଳେ ବାରହାଟି ତାଙ୍କ ଜଙ୍ଘକୁ ଆକ୍ରମଣ କରିଥିଲା । ଫଳରେ ସେ ତଳେ ପଡିଯାଇ ଚିତ୍କାର କରିଥିଲେ । ଏହା ପରେ ସାହି ଲୋକଙ୍କ ପାଟି ଶୁଣି ବାରହାଟି ଭୟରେ ଜଙ୍ଗଲକୁ ପଳାଇ ଯାଇଥିଲା । ଉଭୟ ଆହତଙ୍କୁ ଛେଣ୍ତିପଦା ଡାକ୍ତରଖାନାରେ ଭର୍ତି କରିଥିବାବେଳେ ଝୁନାରାଣୀଙ୍କୁ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାୟଳ ପଠାଯାଇଛି । ଏହାକୁ ନେଇ ବନ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ