ଅନୁଗୋଳ: ବିବାହ ଉତ୍ସବ ସମୟରେ ଫାଙ୍କା ଗୁଳି ଚାଳନା କରି ପୋଲିସ ହାତରେ ବନ୍ଧା ହେଲେ ଦୁଇ ଅପରାଧୀ। ଅନୁଗୋଳ ଜିଲ୍ଲା ବଅଁରପାଳ ପୋଲିସ ଏହି ଦୁଇ ବନ୍ଧୁକଧାରୀ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଏକ ପ୍ରେସ ଇସ୍ତହାରରେ ସୂଚନା ଦେଇଛି ।
ଅନୁଗୋଳ ଥାନା ସନ୍ତ୍ରୀଛକ ପାଖ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଦୁଇ ଅଚିହ୍ନା ଯୁବକ ଏକ ଫରଚୁନର କାରରେ ଆସି ଏକ ବିବାହ ଉତ୍ସବ ନିକଟରେ ତିନି ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଦ୍ରୃତ ଗତିରେ ପଳାଇ ଯାଇଥିଲେ । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ପିଛା କରି ଧରିବାରେ ସକ୍ଷମ ହୋଇଛି ।
ପୁଲିସ ଏମାନଙ୍କ ଠାରୁ ଗୋଟିଏ ପିସ୍ତଲ ସହ 5 ରାଉଣ୍ଡ ଗୁଳି , ଏକ ଫାଙ୍କା ମାଗାଜିନ, 4ଟି ଫାଙ୍କା ଖୋଳ , ଏକ ଫରଚୁନର୍ କାର , ସାଢେ ସାତ ଲିଟର ବିଦେଶୀ ମଦ , 3ଟି ମୋବାଇଲ ଫୋନ ଜବତ କରି କୋର୍ଟ ଚାଲାଣ କରିଛି। ଏମାନେ ହେଲେ ବିହାର ମୁନିଆ ଜିଲ୍ଲା ସାରର୍ସି ଗ୍ରାମର କୈଳାସ ସିଂହ , ଅନ୍ୟ ଜଣଙ୍କ ହେଲେ ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ମୁଜାଇ ଗ୍ରାମର ଅରୁଣ କୁମାର ।
ଅଞ୍ଚଳର ବିଶିଷ୍ଟ ଶିଳ୍ପପତି ଗଙ୍ଗାଧର ସାମଲଙ୍କ ଝିଅର ବିବାହ ଉତ୍ସବ ଚାଲିଥିବା ବେଳେ ସେହି ସମୟରେ ଏହି ଦୁଇ ଅଜଣା ଯୁବକ କାରରେ ଆସି ତିନି ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ ଏବଂ ଦ୍ରୁତ ଗତିରେ ପଳାଇ ଯାଇଥିଲେ । ବଅଁରପାଳ ପୁଲିସ ଖବର ପାଇ ଢେଙ୍କାନାଳ ପୁଲିସଙ୍କ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଢେଙ୍କାନାଳ ସଦର ଥାନା ତମାଣ୍ଡ ଗ୍ରାମରେ ଥିବା ଏକ ଫାର୍ମ ହାଉସରୁ ଉଭୟଙ୍କୁ ଗିରଫ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ