ଅନୁଗୋଳ: ଫୁଟପାତରେ ଟଲି ଲଗାଇ ବେପାର କରୁଥିଲେ । ସେଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ପରିବାର ଚଳୁଥିଲା । ଏବେ କିନ୍ତୁ ଜୀବନ ଜୀବିକା ପାଇଁ ନିର୍ଭର କରୁଥିବା ଟଲିକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି । ଫଳରେ ଚିନ୍ତାରେ ଅନୁଗୋଳ ପୌରାଞ୍ଚଳରେ ଥିବା ଉଠା ଦୋକାନୀ । ରାସ୍ତା କଡରେ ଥିବା 40ରୁ ଅଧିକ ଟଲିକୁ ଜେସିବି ସାହାଯ୍ୟରେ ଭାଙ୍ଗି ଦିଆଯାଇଥିବା ବେଳେ କିଏ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଦିନରେ ଟଲି ରିକ୍ସାରେ ବେପାର କରିବା ପରେ ରାତିରେ ନିଜ ନିଜର ଟଲି ରିକ୍ସାକୁ ଜିଲ୍ଲାପାଳ ଅଫିସ କ୍ୟାମ୍ପସକୁ ଲାଗିଥିବା ପାଚେରୀ କଡ଼ରେ ରଖି ଦେଇ ଯାଆନ୍ତି ବେପାରୀ । ମାତ୍ର ରାତି ଅଧିଆ କେହି ଜେସିବି ଲଗାଇ ଟଲି ରିକ୍ସାକୁ ଭାଙ୍ଗି ଦେଇଛି । ଏନେଇ ଅଭିଯୋଗ କରିବା ପୂର୍ବରୁ ଏକ ଜେସିବି ମେସିନ ଲଗାଇ ଟଲି ଗୁଡିକୁ ଭଙ୍ଗା ଯାଇଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି ।
ତେବେ କାହାର ସେ ଜେସିବି, କିଏ ଓ କାହିଁକି ଗରିବ ଲୋକଙ୍କ ରୋଜଗାରର ମାଧ୍ୟମକୁ ଏପରି ଭାଙ୍ଗି ଦେଲା ତାହା କେହି ବୁଝି ପାରୁନାହାନ୍ତି । କିଏ ଭାଙ୍ଗିଲା ଆମେ କାହାକୁ ଦୋଷ ଦେବୁ ବୋଲି ସେମାନେ କହିଛନ୍ତି । ଗତ 27 ତାରିଖ ରାତି 3ଟା 30 ମିନିଟ ସମୟରେ ଟଲି ରିକ୍ସା ଗୁଡିକ ଜେସିବି ମେସିନ ଲଗାଇ ଭାଙ୍ଗି ଦିଆଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଗୋଟି ଗୋଟି କରି ପାଖା ପାଖି 40ରୁ ଅଧିକ ଟଲିକୁ ଜେସିବି ମେସିନ ଭାଙ୍ଗି ଚୁରମାର କରିଦେଇଛି ।
ତେବେ ଉଠା ଦୋକାନୀ ମାନେ ଟଲିରେ ବ୍ୟବସାୟ କରୁଥିବା ବେଳେ ଏନେଇ ପୌର ସଂସ୍ଥାକୁ ଟିକସ ମଧ୍ୟ ଦେଉଥିଲେ । ତେବେ ସହର ରେ ଟ୍ରାଫିକ ବ୍ୟବସ୍ଥାକୁ ନେଇ ପୌର ପାଳିକା ଏମାନଙ୍କୁ ବାରମ୍ବାର ଉଠାଇ ଦିଏ । କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଏମାନେ ବେପାର କରନ୍ତି ଓ ଟିକସ ମଧ୍ୟ ଦିଅନ୍ତି । ତେବେ ଏଭଳି ସ୍ଥଳେ କିଏ ଟଲି ଭାଙ୍ଗିଲା ଓ କଣ ରହିଛି ଏହା ପଛର ଉଦ୍ଦେଶ୍ୟ ତାହା ଆଗକୁ ଜଣାପଡିବ।
କୁହାଯାଉଛି ଟଲି ଭାଙ୍ଗିଥିବା ଜେସିବି ମେସିନଟି କୁଆଡେ ଦୀର୍ଘ 2 ବର୍ଷ ହେବ ପୌରପାଳିକାର କାମରେ ନିୟୋଜିତ ହୁଏ । ଉଠା ଦୋକାନୀଙ୍କ ଉପରେ ରାଗ ରଖି ପୁଣି କାଳେ କିଛି ଅଘଟଣ ଘଟିବ ସେହି ଭୟରେ ଉଠାଦୋକାନୀ ମାନେ ଘଟଣା ନେଇ ପୋଲିସ କିମ୍ବା ପ୍ରଶାସନ ନିକଟରେ ମଧ୍ୟ ଅଭିଯୋଗ କରିନାହାନ୍ତି ।
ଇଟିଭି ଭାରତ, ଅନୁଗୋଳ