ଅନୁଗୋଳ: ପୋଲିସକୁ ସମ୍ମାନ ଦେବାକୁ ଏସବିଆଇ ବ୍ୟାଙ୍କର ପ୍ରୟାସ । ଅନୁଗୋଳ ପୋଲିସର କାର୍ଯ୍ୟ ପାଇଁ ସାହାଯ୍ୟର ହାତ ବଢାଇଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ବ୍ୟାଙ୍କ ପକ୍ଷରୁ ସାମାଜିକ ଦାୟିତ୍ବବୋଧ ପାଣ୍ଠିରୁ ଶୁକ୍ରବାର ପୋଲିସକୁ ବିଭିନ୍ନ ଅନୁଦାନ ପ୍ରଦାନ କରାଯାଇଛି ।
ଏଥିପାଇଁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏସବିଆଇର ମୁଖ୍ୟ ମହା ପ୍ରବନ୍ଧକ ରୁମା ଦେ ଯୋଗ ଦେଇ ଅନୁଗୋଳ ଜିଲ୍ଲା ପୋଲିସକୁ ଏକ ମୋବାଇଲ ଭ୍ୟାନ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ବିଭିନ୍ନ ସମୟରେ ଏଟିଏମ ଲୁଟ ଘଟଣାର ତଦନ୍ତ କରି ସଫଳତା ପାଇବା ସହ ଲକ୍ଷାଧିକ ଟଙ୍କା ଜବତ କରିଥିବାରୁ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି । ଶ୍ରୀ ସାଇନାଥ ସିନିଅର ସିଟିଜେନ ହୋମକୁ ଲକ୍ଷାଧିକ ଟଙ୍କାର ସୋଲାର ପାଓ୍ବାର ସିଷ୍ଟମ ମଧ୍ୟ ପ୍ରଦାନ କରାଯାଇଛି ।
ଦେଶ ନିର୍ମାଣରେ ଷ୍ଟେଟ ବ୍ୟାଙ୍କ ଏକ ଅଂଶୀଦାର ଭାବେ କାମ କରୁଛି । ଏଣୁ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ଓ ପୋଲିସ ସହ ସହଭାଗିତାରେ କାର୍ଯ୍ୟକ୍ରମ ଜାରି ରହିବ ବୋଲି ରୁମା ଦେ ସୂଚନା ଦେଇଛନ୍ତି । ତେବେ ଏସିବିଆଇର ଏହି ସହାୟତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ