ଅନୁଗୋଳ: ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନୀତି । ଗାଁ ଗହଳିରେ ଚାଲିଛି ଚର୍ଚ୍ଚା ଆଲୋଚନା । କିଏ କେଉଁଠି ହେଲା ପ୍ରାର୍ଥୀ ତ କେଉଁଠି ଲଢୁଛି । ତେବେ ଏ ଭଳି ସ୍ଥିତରେ ସ୍ବାମୀ ସ୍ତ୍ରୀ ଅବତୀର୍ଣ୍ଣ ହୋଇଛନ୍ତି ପଞ୍ଚାୟତ ମୈଦାନକୁ । ସରପଞ୍ଚ ପାଇଁ ସ୍ବାମୀ ସ୍ତ୍ରୀ ମଧ୍ୟରେ ହେଉଛି ପ୍ରତିଦ୍ବନ୍ଦିତା । ଗୋଟିଏ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଭଳି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଜାମୁନାଳି ପଞ୍ଚାୟତରେ।
ସରପଞ୍ଚ ପଦବୀ ପାଇଁ ସ୍ୱାମୀ ସ୍ତ୍ରୀ କରୁଛନ୍ତି ପ୍ରତିଦ୍ୱନ୍ଦିତା ତାହା ପୁଣି ଗୋଟିଏ ପଞ୍ଚାୟତରେ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲାରୁ। ଜିଲ୍ଲାର ବଅଁରପାଳ ବ୍ଲକ ଜମୁନାଳି ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଉଭୟ ସ୍ୱାମୀ ଆଉ ସ୍ତ୍ରୀ କରୁଛନ୍ତି ପ୍ରତିଦ୍ୱନ୍ଦିତା। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସେହି ପଞ୍ଚାୟତର ବସନ୍ତ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ସୂର୍ଯ୍ୟଳତା ପ୍ରଧାନ ଗତ କାଲି ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜି ଯାଞ୍ଚ ପରେ ମଧ୍ୟ ସେମାନଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଏହାକୁ ନେଇ ଏବେ କେବଳ ସେହି ପଞ୍ଚୟତ କାହିଁକି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ପରିବାରରୁ ସ୍ୱାମୀ ସ୍ତ୍ରୀ ଗୋଟିଏ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି।
ଉଭୟେ ଉଭୟଙ୍କ ରାସ୍ତାରେ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କେହି କାହା ବିରୁଦ୍ଧରେ ଭୋଟରଙ୍କୁ କିଛି ନକହି ନିଜେ ଜିତିଲେ କଣ ଉନ୍ନତି କରିବେ ତାହା କହି ଭୋଟ ହାତେଇବାକୁ ସେମାନେ ନିଷ୍ପତି ନେଇଛନ୍ତି। ଘରେ ପରସ୍ପର ମଧ୍ୟରେ ଆଲୋଚନା କରୁଛନ୍ତି। କିନ୍ତୁ ନିର୍ବାଚନ ମଇଦାନକୁ ଆସିଲେ ରାଜନୈତିକ ପ୍ରତିଦ୍ବନ୍ଦୀ ପାଲଟି ଯାଉଛନ୍ତି। ଏଥିପାଇଁ ସେମାନଙ୍କର କୌଣସି ଅସୁବିଧା ହେଉ ନଥିବା କହିଛନ୍ତି। ତେବେ ଏଭଳି ଘଟଣା ଜିଲ୍ଲାରେ ବିରଳ ବୋଲି ଜଣାପଡ଼ିଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ